କନକ ବ୍ୟୁରୋ : ୟୁ-ଟ୍ୟୁବ୍‌ ଦେଖି ପାଠ ପଢ଼ିବା ସହ, ତୃତୀୟ ପଦକ୍ଷେପରେ ନିଟ୍‌ କ୍ୱାଲିଫାଏ କରିଛନ୍ତି । ହେଲେ ମେଡିକାଲ ପାଠ ପଢ଼ିବାରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିର ଧବଳେଶ୍ୱର ପୂଜାରୀଙ୍କ ପାଇଁ ଅର୍ଥ ସାଜିଛି ବାଧକ । ୩ ବର୍ଷ ବୟସରେ ବାପା ଘରଛାଡ଼ି ଚାଲିଗଲେ, ମାଆ ମୂଲ ଲାଗି ପୁଅକୁ ଦଶମ ଯାଏଁ ପାଠ ପଢ଼ାଇଲେ । ଜଣେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଯୁକ୍ତ ଦୁଇ ବିଜ୍ଞାନରେ କୃତକାର୍ଯ୍ୟ ହେଲେ । ଉଚ୍ଚଶିକ୍ଷା ପାଇଁ ପାଖରେ ପଇସା ନଥିବାରୁ ଆନ୍ଧ୍ରରେ ଦାଦନ ଖଟି ବହି, ଖାତା ଓ ସ୍ମାର୍ଟଫୋନ ଯୋଗାଡ଼ କଲେ । ୟୁ-ଟୁବ୍‌ରୁ ଦେଖି ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି । କୋରାପୁଟ୍‌ ମେଡିକାଲ କଲେଜରେ ପଢ଼ିପା ପାଇଁ କାଉନସେଲିଂ ସରିଛି । ହେଲେ ଆଡମିଶନ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫ ବର୍ଷରେ ଖର୍ଚ୍ଚ ହେବ ପାଖାପାଖି ୭ ଲକ୍ଷ ଟଙ୍କା । 

Advertisment

କୁଇ ସମାଜର ଝିଅ ଚିନ୍ମୟୀ ସାଉଁତା । କୋରାପୁଟ ଯୋଡ଼ିପାଇ ଗାଁର ଶିକ୍ଷକ ଗୋପାଳ ସାଉଁତାଙ୍କ ଝିଏ ଏବେ ଏମ୍‌ବିବିଏସ୍‌ ପଢିବାକୁ ଯୋଗ୍ୟତା ହାସଲ କରିଛନ୍ତି । ଝିଅର ସଫଳତାରେ ସମସ୍ତେ ଖୁସି, ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଉଛନ୍ତି । ବାପା ପେସାରେ ଶିକ୍ଷକ ହେଲେ ମଧ୍ୟ ଚାରିଟି ସନ୍ତାନଙ୍କୁ ନେଇ ବଡ଼ ପରିବାରରେ ଝିଅର ବ୍ୟୟବହୁଳ ମେଡିକାଲ ପାଠକୁ ନେଇ ଚିନ୍ତାରେ । ସରକାରୀ ସଂସ୍ଥାରେ ପଠପଢ଼ା ଖର୍ଚ୍ଚ ତୁଲାଇବା ବି କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା କରୁଛନ୍ତି । 

ଚିନ୍ତାର ବିଷୟ ହେଲା, ରାଜ୍ୟରେ ଦିନକୁ ଦିନ ବ୍ୟୟବହୁଳ ହୋଇପଡୁଛି ମେଡିକାଲ ଶିକ୍ଷା । ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମେଡିକାଲ ପାଠ୍ୟକ୍ରମ ଫି'କୁ ବହୁଗୁଣା କରିଦେଇଛନ୍ତି ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ । ସରକାରୀ ଅନୁଷ୍ଠାନରେ ମଧ୍ୟ ନିମଲେଖା ଫି ବାଦ୍‌ ହଷ୍ଟେଲ ଓ ମେସ୍‌ ଚାର୍ଜ, ୟୁନିଫର୍ମ, ବହି-ଖାତା, ମେଡିକାଲ ସରଞ୍ଜାମ ବାବଦକୁ ଛାତ୍ରଛାତ୍ରୀଙ୍କୁ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏଭଳି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଅତୁଟ ବନ୍ଧନ ଭଳି ସଂସ୍ଥା ସହଯୋଗର ହାତ ବଢ଼ାଉଛି । ୨୦୫ ଜଣଙ୍କ ମେଡିକାଲ ପାଠ ଖର୍ଚ୍ଚ ଉଠାଉଛି ସଂସ୍ଥା । ଏଭଳି ଏକାଧିକ ସଂସ୍ଥା, ସହାୟତା ପାଇଁ ଆଗେଇ ନଆସିଲେ ରାଜ୍ୟର ବ୍ୟୟବହୁଳ ମେଡିକାଲ ପାଠ୍ୟକ୍ରମ ରାଜ୍ୟର ଅଧିକାଂଶ ଗରିବ ମେଧାବୀ ପିଲାଙ୍କ ଡାକ୍ତର ହେବାର ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେବ ।