କନକ ବ୍ୟୁରୋ: ଚାମ୍ପିଆନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅପରାଜୟ ଭାରତ ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି । ଆଜି ସେମିରେ ରୋହିତ ବାହିନୀ କଙ୍ଗାରୁ ଦଳ ସହ ଲଢ଼ିବ । ଆଉ ଯେଉଁ ଟିମ ବିଜୟୀ ହେବ ସେ ଆସନ୍ତା ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ସହ ଭାରତର ଆଇସିସି ରେକର୍ଡ ସେତେ କିଛି ଖାସ ନାହିଁ । ଏହି କଙ୍ଗାରୁ ଟିମ 2023 ବିଶ୍ୱକପରେ ଭାରତର ଚାମ୍ପିୟନ ହେବାର ସ୍ୱପ୍ନକୁ ଚୂରମାର କରିଦେଇଥିଲା । ଆଉ ଆଜି ସେହି ଟିମ ସହ ଟକ୍କର ଦେବ ଭାରତ ।
ଆଇସିସି ନକଆଉଟ ମ୍ୟାଚରେ ଅଷ୍ଟ୍ରେଲିଆର ଦବବଦା ରହିଛି । ୨୦୧୦ ପରଠୁ ଖେଳାଯାଇଥିବା ୪ ମ୍ୟାଚରୁ ୩ଟିରେ କଙ୍ଗାରୁ ଦଳ ବିଜୟୀ ହୋଇଛି । ୨୦୧୧ ଦିନିକିଆ ବିଶ୍ବକପ ଲିଗ୍ ମ୍ୟାଚରେ ୫ ୱିକେଟରେ ଭାରତ ଅଷ୍ଟ୍ରେଲିଆଠାରୁ ବିଜୟୀ ହୋଇଥିଲା । ସେହିପରି ୨୦୧୫ ଦିନିକିଆ ବିଶ୍ବକପ ସେମିଫାଇନାଲ ୯୫ ରନରେ ଅଷ୍ଟ୍ରେଲିଆ ଭାରତଠାରୁ ବିଜୟୀ ହୋଇଥିଲା । ୨୦୨୩ ଦିନିକିଆ ବିଶ୍ବକପ ଫାଇନାଲରେ ୫ ୱିକେଟରେ ଭାରତଠାରୁ ଜିତିଥିଲା କଙ୍ଗାରୁ ଦଳ । ବିଶ୍ବ ଟେଷ୍ଟ ଚାମ୍ପିୟନସିପ ୨୦୨୩ରେ ୨୦୯ ରନରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଶେଷ ଥର ପାଇଁ ଭାରତ ୨୦୧୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା ।
ଭାରତ-ଅଷ୍ଟ୍ରେଲିଆ ଦିନିକିଆ ରେକର୍ଡକୁ ଯଦି ନଜର ପକାଇବା ତେବେ ଏଥିରେ ବି ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଦୁଇ ଦେଶ ଦେଶ ମଧ୍ୟରେ 151ଟି ଦିନିକିଆ ମ୍ୟାଚ ଖେଳ ହୋଇଛି । ଭାରତ ୫୭ ଥର ବିଜୟୀ ହୋଇଥିବା ବେଳେ ୮୪ଥର ଜିତିଛି ଅଷ୍ଟ୍ରେଲିଆ । ସେହିପରି ଭାରତ ଘରୋଇ ମାଟିରେ ୩୩ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୩୮ଥର ଜିତିଛି । ବର୍ତ୍ତମାନ ୨୦୨୩ ବିଶ୍ବକପର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଭାରତ । କାରଣ 2023ରେ ଭାରତକୁ ନିଜ ମାଟିରେ ହରାଇଥିଲା ଅଷ୍ଟ୍ରେଲିଆ । ୧୦ରୁ ୧୦ ମ୍ୟାଚ ଜିତି ଫାଇନାଲ ଯାଇଥିଲା ଭାରତୀୟ ଦଳକୁ ଫାଇନାଲରେ ହରାଇ ବିଶ୍ୱକପ ଆଶାକୁ ଧୂଳିସାତ କରିଥିଲା କଙ୍ଗାରୁ ଦଳ ।
ତେବେ ଆଜିର ନକଆଉଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ଲକ୍ଷ୍ୟରେ ରହିଛି ଭାରତ । ଭାରତ ପାଇଁ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ମୁଣ୍ଡ ବିନ୍ଧାର କାରଣ ପାଲଟି ପାରନ୍ତି । ସେହିପରି ଭାରତ ଯଦି ବରୁଣ ଚକ୍ରବର୍ତ୍ତୀକୁ ଖେଳାଉଛି ତେବେ ବରୁଣ ଭାରତ ପାଇଁ ସଞ୍ଜିବନି ପାଲଟି ପାରନ୍ତି । ଭାରତ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନି । ସେହିପରି ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଅନ୍ୟ ଦୁଇ ମ୍ୟାଚ ବାତିଲ ହୋଇଥିଲା । ତେବେ ଦେଖିବା ବାକି ରହିଲା ଆଜିର ଏହି ହାଇଭୋଲ୍ଟେଜ ମ୍ୟାଚରେ କିଏ ମାରିବ ବାଜି?