କନକ ବ୍ୟୁରୋ : ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ଆଜିଠୁ ମଣ୍ଡି ଖୋଲିଛି । ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ହେଲେ ଟାର୍ଗେଟ୍ ନଥିବାରୁ ପ୍ରଥମ ଦିନରୁ ମଣ୍ଡିରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଧାନ କିଣା ହୋଇନାହିଁ, ମଣ୍ଡିରେ ଚାଷୀଙ୍କ ଶହଶହ ବସ୍ତା ଧାନ ପଡି ରହିଛି ।
୫୪ଟି ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ବ୍ୟବସ୍ଥା ହୋଇଛି । କେତେକ ମଣ୍ଡିକୁ ଚାଷୀମାନେ ଧାନ ବିକ୍ରି ପାଇଁ ଆଣିଛନ୍ତି । ଜମନକିରା ବ୍ଲକ ଡିମିରିମୁଣ୍ଡା ମଣ୍ଡିରେ ଧାନ ସଂଗ୍ରହ ପାଇଁ ଲ୍ୟାମ୍ପସ୍ କର୍ତ୍ତୃପକ୍ଷ, ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଉପସ୍ଥିତ ଅଛନ୍ତି ।
ଡିମିରିମୁଣ୍ଡା ମଣ୍ଡିକୁ ୭ ଜଣ ଚାଷୀ ଧାନ ଆଣିଛନ୍ତି । ଟୋକନ ମିଳିବା ପରେ ବିକ୍ରି ଯୋଗ୍ୟ ୭୦୪ ବସ୍ତା ଧାନ ମଣ୍ଡିକୁ ଆଣିଛନ୍ତି । ସବୁ ପ୍ରକାର ଅନୁସଙ୍ଗିକ ବ୍ୟବସ୍ଥା ସରିଛି, କେବଳ ଟାର୍ଗେଟକୁ ଅପେକ୍ଷା ବୋଲି କହିଛନ୍ତି ଆରଏମସି କର୍ମଚାରୀ। ସେପଟେ ବକ୍ସମା ଧାନମଣ୍ଡିକୁ ୩ ଜଣ ଚାଷୀ ଧାନ ଆଣିଥିବା ବେଳେ, ବିକ୍ରୟ ପ୍ରକ୍ରିୟା ସ୍ୱାଭାବିକ ଢଙ୍ଗରେ ଚାଲିଛି ।