କନକ ବ୍ୟୁରୋ: ମାଓ ସଂଗଠନକୁ ଏବେ ନାବାଳକ ଭରସା । ପିଲାଙ୍କୁ ନେଇ ସଂଗଠନ ମଜଭୁତ କରିବା ପାଇଁ ମାଓନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଛତିଶଗଡ଼ ଦାନ୍ତେୱାଡ଼ା ଏନକାଉଣ୍ଟରରେ ନିହତ ଟପ୍ ମାଓନେତା ସୁଧାକରର ମୃତଦେହ ନିକଟରୁ ମିଳିଥିବା ଏକ ଚିଠିରୁ ଏହି ଗୁମର ଖୋଲିଛି ।
- କୁନି କାନ୍ଧରେ ବନ୍ଧୁକ
- ନାବାଳକଙ୍କୁ ନକ୍ସଲ ଦେଉଛନ୍ତି ନିଯୁକ୍ତି
ଦେଶକୁ ମାଓମୁକ୍ତ କରିବା ଲାଗି ଜୋରଦାର ଆକ୍ରମଣ ଜାରି ରଖିଛି ସୁରକ୍ଷା ବାହିନୀ। ସୁଯୋଗ ଦେଖି ଟପ୍ ମାଓନେତାଙ୍କୁ ନିପାତ କରୁଛି। ଅନ୍ୟପଟେ ସଂଗଠନକୁ ପୁଣି ଥରେ ମଜଭୁତ କରିବା ଲାଗି ନୂଆ ରଣନୀତି ଆପଣାଇଛନ୍ତି ମାଓବାଦୀ। ନାବାଳକଙ୍କ ଉପରେ ଲାଲ୍ ବାହିନୀ ଆଖି ପକାଇଛି। ସଂଗଠନର ପ୍ରତି ଡିଭିଜନରେ ୫ରୁ ୨୫ ଜଣ ପିଲାଙ୍କୁ ସାମିଲ କରାଯାଉଛି । ଗତ ୨୫ ତାରିଖରେ ଦାନ୍ତେୱାଡ଼ା ଏନକାଉଣ୍ଟରରେ ନିହତ ଟପ୍ ମାଓନେତା ସୁଧାକର ଓରଫ ମୁରଲୀର ମୃତଦେହ ନିକଟରୁ ମିଳିଥିବା ତେଲୁଗୁ ଭାଷାରେ ଲିଖିତ ଏକ ହାତଲେଖା ରିପୋର୍ଟରୁ ଏହି ସୂଚନା ମିଳିଛି । ୧୩୦ ଜଣ ପିଲା ଏବେ ମିଲିସିଆ ଭାବେ ଇନ୍ଦ୍ରାବତୀ ଡିଭିଜନରେ ସକ୍ରିୟ ଅଛନ୍ତି ।
ଏନକାଉଣ୍ଟର ବେଳେ ଏହି ନାବାଳକ- ନାବାଳିକାଙ୍କୁ ଢାଲ ଭାବେ ବ୍ୟବହାର କରାଯାଉଛି । ରିପୋର୍ଟ ଅନୁଯାୟୀ, ମାଓବାଦୀମାନେ ଏହି ପିଲାମାନଙ୍କୁ ତାଲିମ ଦେବା ଲାଗି ଘଞ୍ଚ ଜଙ୍ଗଲରେ ମୋବାଇଲ ପଲିଟିକାଲ ସ୍କୁଲ ସ୍ଥାପନ କରିଛନ୍ତି । ପିଲାଙ୍କୁ ମାଓ କମାଣ୍ଡରମାନଙ୍କ ଦ୍ବାରା ବନ୍ଧୁକ ଚାଳନାଠାରୁ ଆରମ୍ଭକରି ଗରିଲା ଯୁଦ୍ଧ ଏବଂ ଏୟାର ଡିଫେନ୍ସ ଶିକ୍ଷା ଦିଆଯାଉଛି । ସ୍ଥାନୀୟ ଆଦିବାସୀ ଶିକ୍ଷକଙ୍କୁ ନିଯୁକ୍ତ କରି ମାଓ ଆଦର୍ଶ ସମ୍ପର୍କରେ ଶିକ୍ଷା ଦିଆଯାଉଛି । ଏହି ରିପୋର୍ଟକୁ ଅତି ଗୁରୁତ୍ବର ସହ ଗ୍ରହଣ କରିଛି ଛତିଶଗଡ଼ ପୁଲିସ ।