କନକ ବ୍ୟୁରୋ : ଚାଷୀଙ୍କୁ ହନ୍ତସନ୍ତ କରୁଛି ମଣ୍ଡି ଅବ୍ୟବସ୍ଥା। ଗଞ୍ଜାମର ଅନେକ ବ୍ଳକରେ ମଣ୍ଡି ଖୋଲିଛି। କିନ୍ତୁ ମିଲରଙ୍କୁ ଟାର୍ଗେଟ ମିଳିନାହିଁ। ତେଣୁ ଧାନ କିଣା ସ୍ବାଭାବିକ ହୋଇପାରୁନି। ମଣ୍ଡି ଉପରେ ଚାଷୀଙ୍କ ଭରସା ପାଉନାହିଁ। ଆଉ ଏହାର ଫାଇଦା ଉଠାଇ ଶାଗ ମାଛ ଦରରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଅମଳକୁ କିଣି ନେଉଛନ୍ତି ଆନ୍ଧ୍ର ବେପାରୀ। ସଂଧ୍ୟା ହେଲେ ଗାଁରେ ଗାଡ଼ି ଧରି ପହଞ୍ଚି ଯାଉଛନ୍ତି ଦଲାଲ। ଚାଷୀଙ୍କ ଦୁଆରୁ ଧାନ କିଣି ଆନ୍ଧ୍ର ଚାଲଣ କରୁଛନ୍ତି। 

Advertisment

ଯେଉଁ ଚାଷୀ ବେପାରୀଙ୍କୁ ଧାନ ନଦେଇ ମଣ୍ଡିରେ ବିକ୍ରି କରିବା ଆଶା ରଖିଛନ୍ତି, ସେମାନଙ୍କ ଦୁଃଖ ନକହିବା ଭଲ । ଗତ ୩ ତାରିଖରୁ ଜିଲ୍ଲାରେ ମଣ୍ଡି ଖୋଲିଥିଲେ ମଧ୍ୟ ମିଲରଙ୍କୁ ଟାର୍ଗେଟ୍ ମିଳିନଥିବାରୁ ମଣ୍ଡିରୁ ଧାନ ଉଠୁନାହିଁ । ତେଣୁ ମଣ୍ଡିକୁ ଯାଇପାରୁନାହିଁ, ଖଳାରେ ପଡ଼ି ରହିଛି । ଶୀତ କାକରରେ ଦିନରାତି ଖଳାରେ ଧାନକୁ ଜଗି ରହୁଛନ୍ତି ଚାଷୀ। ଆସିକା ଓ ଧରାକୋଟ ବ୍ଲକରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।   

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଣ୍ଡିରେ ଧାନ ବିକ୍ରି ନେଇ ଆସିଥିବା ଟୋକନ, ଏବେ ବାତିଲ ହେବା ନେଇ ମେସେଜ ଆସିଛି । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି। ଦିନେ-ଦୁଇ ଦିନରେ ମଣ୍ଡି ସମସ୍ୟା ଦୂର ହେବ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ସୁଚନା ଦେଇଛନ୍ତି। ।