କନକ ବ୍ୟୁରୋ : ପୁଜା ବଜାରରୁ ବେଲୁନ ଟେ ନ କିଣି ଘରକୁ ଫେରିବା ହୁଏତ ପିଲାଙ୍କ ପାଇଁ ଅସମ୍ଭବ । ପୁର୍ବରୁ ରବର ବେଲୁନ୍ ପିଲାଙ୍କ ଚାହିଦା ମେଣ୍ଟାଇ ଆସୁଥିବା ବେଳେ ଏବେ ବଜାରକୁ ଆସିଛି ଅତ୍ୟାଧୁନିକ ଫଏଲ୍ ବେଲୁନ୍ । ବିଭିନ୍ନ ଆକାର ସାଙ୍ଗକୁ ମନ ଲୋଭା ରଙ୍ଗ । ଡଲଫିନ୍ ଠାରୁ ଆରମ୍ଭ କରି ଡାଏନାସର ଓ ପିଲାଙ୍କ ପସନ୍ଦର କାର୍ଟୁନ ବେଲୁନରେ ଦଶହରା ପୁଜା ବଜାର ଚମକିଉଠିଛି । ରଙ୍ଗ ବେରଙ୍ଗର ଆଲୋକମାଳା ମାଧ୍ୟରେ ଝଲସୁଛି ପୁରା ପରିବେଶ । ରାତି ତ ରାତି, ଦିନରେ ମଧ୍ୟ ରାସ୍ତା କଡରେ ଏହି ଫଏଲ୍ ବେଲୁନ୍ କିଣିବା ଲାଗି ଜମୁଛି ପିଲା ଛୁଆଙ୍କ ସମେତ ଅଭିଭାବକଙ୍କ ଭିଡ । ବିଭିନ୍ନ ଆନଲାଇନ୍ ପ୍ଲାଟଫର୍ମରେ ଏହି ଫଏଲ୍ ବେଲୁନ ୨ ଶହରୁ ଅଢେଇ ଶହ ଟଙ୍କା ଦରରେ ବିକ୍ରି ହୋଉଥିବା ବେଳେ ମାଲାକନଗିରିରେ ମାତ୍ର ୫୦ ରୁ ୭୦ ଟଙ୍କା ଦରରେ ଏହି ସୁନ୍ଦର ବେଲୁନ୍ ବିକ୍ରି ହୋଉଛି ।
ସୁଦୁର ରାଜସ୍ଥାନ ଅଲୱର ଜିଲ୍ଲାରୁ ଆସି ମାଲକାନଗିରି ରାସ୍ତା କଡରେ ବେଲୁନ୍ ବ୍ୟବସ୍ୟାୟ କରୁଛନ୍ତି ୪ ପରିବାର । ରାସ୍ତା କଡରେ ଖାଇବା, ସେଇଠି ସୋଇବା । ରାସ୍ତା କଡରେ ହିଁ ପିଲା ଛୁଆଙ୍କ ଲାଳଣ ପାଳଣ କରୁଛି ଏହି ବଂଜାରା ମାନେ । ସକାଳ ହେବା ମାତ୍ରେ ବେଲୁନ୍ ଧରି ବାହାରି ପଡନ୍ତି ପୁଜା ବଜାରକୁ । ଆଉ କୁନି କୁନି ପିଲାମାନେ ମଧ୍ୟ ଏମିତି କାନ୍ଧରେ ବେଲୁନ ଲଦି ପେଟ ପାଟଣା ପାଇଁ ସଂଘର୍ଷ କରନ୍ତି । ଗାଁକୁ ଗାଁ ସହରକୁ ସହର । ଆଉ ଦୁଇ ପଇସା ରୋଜଗାର କରି ନିଜ ପିଲା ଛୁଆଙ୍କ ମୁହଁରେ ଦାନା ଯୋଗାଇବା ସହ ପିଲାଙ୍କ ମୁହଁରେ ହସ ଫୁଟାନ୍ତି ଏହି ବଂଜାରା ପରିବାର । ବଜାରରେ ୨ ଶହରୁ ଅଧିକ ଦରରେ ବିକ୍ରି ହେଉଥିବା ଏହି ଫଏଲ୍ ବେଲୁନକୁ ଏହି ବଂଜାରା ପରିବାରର ଲୋକେ ୫୦ ରୁ ୭୦ ଟଙ୍କା ଦରରେ ବିକ୍ରି କରି ଦୌନିକ ୩୦୦ରୁ ଏକ ହଜାର ଟଙ୍କା ରୋଜଗାର କରନ୍ତି ।
ସାଧାରଣତ ଏହି ବଂଜାରା ମାନେ ଜାଜାବାର ଜୀବନ ବିତାଇ ପରିବାର ପ୍ରତିପୋଷଣ କରନ୍ତି । ପାଠପଢା ଏହି ପିଲାମାନଙ୍କ ପାଇଁ ଆଜି ବି ସାତ ସପନ । କାରଣ ଛୋଟ ମୋଟ ବ୍ୟାବସାୟ ସହ ସେଠ୍ ସାହୁକାରଙ୍କ ଘରେ କାମ ଧନ୍ଧା କରିବା ଉପରେ ଆଜି ବି ବିଶ୍ୱାସ କରନ୍ତି ଏହି ବଞ୍ଜାରା ମାନେ ।