କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଫିଟିବ କି ବାଟ ? ଦୀର୍ଘଦିନ ଧରି ଫାଙ୍କା ପଡିଥିବା ମହାନଦୀ ଟ୍ରିବ୍ୟୁନାଲ ମୁଖିଆ ପଦରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ନିଯୁକ୍ତି ମିଳିଛି । ଏହାସହ ପୁଣିଥରେ ଟ୍ରିବ୍ୟୁନାଲ କ୍ରିୟାଶୀଳ ହେବା ନେଇ ଆଶା ଉଜ୍ଜିବୀତ ହୋଇଛି । ପାଖାପାଖି ୧୦ ମାସ ହେବ ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ଠପ ହୋଇଯାଇଥିଲା। ଯାହା ମହାନଦୀ ଜଳ ବିବାଦର ସମାଧାନକୁ ଅସମାହିତ ପ୍ରଶ୍ନ ଭିତରକୁ ଠେଲି ଦେଇଥିଲା। ଅନ୍ୟପଟେ ମୌସୁମୀ ଯିବାର ୨ ମାସ ବିତିନି ଓଡ଼ିଶାର ଜୀବନରେଖା ଶୁଖିଲା ପଡିଲାଣି। ଆଗକୁ ରାଜ୍ୟ ବଡ ଧରଣର ଜଳସଙ୍କଟର ସାମ୍ନା କରିପାରେ ବୋଲି କହି ସରକାରଙ୍କୁ ଚେତାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ତେଣୁ ଅଣମୌସୁମୀ ସମୟରେ ମହାନଦୀର ତଳମୁଣ୍ଡକୁ କିଭଳି ଜଳ ଆସିବ ତାହା ବଡ ଚ୍ୟାଲେଞ୍ଜ।
ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ନିଯୁକ୍ତି ଭିତରେ ପୁଣିଥରେ ତେଜିଛି ରାଜନୀତି। ମହାନଦୀ ମରୁଭୂମିରେ ପରିଣତ ହେବା ପଛରେ କେନ୍ଦ୍ର ଓ ଛତିଶଗଡ ସରକାରକୁ ଦାୟୀ କରିଛି ବିଜେଡି । ଟ୍ରିପଲ ଇଞ୍ଜିନ ସରକାରରେ ମଧ୍ୟ ଏହାର ସମାଧାନ ହେବା କଷ୍ଟକର। ସମସ୍ୟା ଦୂର ହେବା ବେଳକୁ ମହାନଦୀ ଲୀନ ହୋଇଯାଇଥିବ। ଯାହାର କାଉଣ୍ଟର କରି ବିଜେପି କହିଛି, ମହାନଦୀ ମରୁଭୂମି ହେବା ପଛର ଏକମାତ୍ର କାରଣ ହେଉଛନ୍ତି ନବୀନ ପଟ୍ଟନାୟକ। ଅତୀତରେ ରାଜ୍ୟର ସ୍ବାର୍ଥ କଥା ବିଜେଡି ଭୁଲି ଯାଇଥିଲା। ମଧ୍ୟସ୍ଥତାକୁ ମନା କରିବାରୁ ମହାନଦୀର ଏଭଳି ଅବସ୍ଥା ହୋଇଛି। କିନ୍ତୁ ଅତୀତର ପୁନରାବୃତ୍ତି ଏ ସରକାରରେ ହେବନି।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୮ରୁ ଟ୍ରିବ୍ୟୁନାଲ ଗଠନ ହୋଇଛି। କିନ୍ତୁ ମହାନଦୀକୁ ଜଳ ଆସିବା ପରିବର୍ତ୍ତେ ମରୁଭୂମି ପାଲଟିଗଲାଣି। ଏଥିପାଇଁ ପୂର୍ବ ସରକାରର ଦାୟିତ୍ବହୀନତାକୁ ବିଜେପି ଦାୟୀ କରୁଛି। କିନ୍ତୁ ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀର ଭାଗ୍ୟରେ କଣ ପରିବର୍ତ୍ତନ ହେଉଛି ତାହା ଦେଖିବା ବାକି ରହିଲା।