କନକ ବ୍ୟୁରୋ : ବାଲେଶ୍ୱର ବାଲିଆପାଳରେ ମାତିଲେଣି ମାଟି ମାଫିଆ । ପଡିଛି ନଦୀ କୁଳିଆ ଉର୍ବର ଜମି ଉପରେ ଲଲୁପ ଦୃଷ୍ଟି, ଜମି ମାଲିକଙ୍କ ଅଜାଣତରେ ଖୋଲି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଉର୍ବର ମାଟି, ଆଉ ଚାଷଉପଯୋଗୀ ଜମି ଖାଲୁଆ ହେଉ ଥିବାରୁ ଚିନ୍ତାରେ ଜମି ମାଲିକ ।
ସୁବର୍ଣ୍ଣରେଖା ନଦୀ ଅବବାହିକାରେ ରହିଛି ବାଲେଶ୍ୱର ବାଲିଆପାଳ ଏବଂ ଭୋଗରାଇ ବ୍ଲକର ଅନେକ ଅଂଚଳ । ପ୍ରତିବର୍ଷ ବନ୍ୟା ଆସି ନଦୀ ଉଭୟ ପଟେ ଥିବା ଚାଷ ଜମି ଉର୍ବର ହୋଇଥାଏ । ସେହି ଜମିରେ ପନିପରିବା ସାଙ୍ଗକୁ ଧାନ, ନଳିତା, ଆଖୁ, ଚିନାବାଦାମ, ସୋରିଷ, ମୁଗ, ବିରି ଚାଷ କରି ବେଶ ଲାଭବାନ୍ ହୋଇଥାନ୍ତି ଚାଷୀ । ହେଲେ ଏବେ ସେ ଜମି ଉପରେ ପଡିଛି ମାଫିଆଙ୍କ ନଜର । ଜମି ମାଲିକଙ୍କ ଅଜାଣତରେ ଜେସିବି ଏବଂ ଟ୍ରାକ୍ଟର ଲଗାଇ ତାଡ଼ି ନେଉଛନ୍ତି ଶହ ଶହ ଟ୍ରିପ ମାଟି ।
ସ୍ଥାନୀୟ ଅଂଚଳର କିଛି ଦଲାଲଙ୍କ ସହାୟତାରେ ରାତି ଦିନ ମାଟି ଖୋଳି ନେଉଛନ୍ତି । ଜମି ମାଲିକମାନେ ପ୍ରତିବାଦ କଲେ ବିଭିନ୍ନ ପ୍ରକାର ଧମକଚମକ ଦେଉଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ପୋଲିସ ଏବଂ ରାଜସ୍ୱ ବିଭାଗ ରଖିବା ସହ ସ୍ଥାନୀୟ ଲୋକମାନେ ସହେଯାଗ କଲେ ଏହାକୁ ରୋକାଯାଇ ପାରିବ ।