କନକ ବ୍ୟୁରୋ : ଜିଲ୍ଲାରୁ ଲୁଟ୍ ହେଉଛି ଲଘୁ ଖଣିଜ । ମାଫିଆ ବୋହି ନେଉଛନ୍ତି ମାଟି ଓ ମୋରମ୍ । ଲଘୁ ଖଣିଜ ଚୋର ଓ ଅସାଧୁ ଅଧିକାରୀଙ୍କ ସହେଯାଗରେ ବେଆଇନ କାରବାର ଚାଲିଛି । ମାଫିଆ ମାଲାମାଲ ହେଉଛନ୍ତି, ସରକାରୀ ବାବୁ ନିଜ ପକେଟ୍ ଗରମ କରୁଛନ୍ତି । ଏବଂ କୋଟିକୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର । ଅନ୍ୟପଟେ ଅଭିଯୋଗ ଆସିଲେ ତଦନ୍ତ କରାଯାଉଥିବା କହିଛନ୍ତି ଝାରସୁଗୁଡ଼ା ଉପଜିଲ୍ଲାପାଳ ।
ମାଫିଆ ଓ ଅସାଧୁ ଅଧିକାରୀଙ୍କ ମିଳା ମିଶାରେ ଝାରସୁଗୁଡ଼ାରୁ ଲୁଟ୍ ହେଉଛି ଲଘୁ ଖଣିଜ । ଜିଲ୍ଲା ସଦର ମହକୁମା ଆଖପାଖ ଅଞ୍ଚଳରୁ ମୋରମ୍ ଓ ମାଟି ଚୋରା ଚାଲାଣ ଚାଲିଛି । ଲହଣ୍ଡାବୁଡ଼ ଅଞ୍ଚଳରୁ ରାତି ଅଧରେ ଜେସିବି ଲଗାଇ ମୋରମ୍ ଖନନ କରାଯାଉଛି । ହାଇୱା ଗାଡ଼ି ସାହାଯ୍ୟରେ ଲୁଟ୍ କରି ଚାଲିଛନ୍ତି ମାଫିଆ । କେବଳ ଲହଣ୍ଡାବୁଡ଼ ନୁହେଁ, ଦଲକି, ଜମେରା, ସିଂହାବଗା ଅଞ୍ଚଳରୁ ମଧ୍ୟ ବେଧଡ଼କ ଭାବେ ମୋରମ୍ ଓ ମାଟି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ମାଫିଆ ଓ ଅଧିକାରୀଙ୍କ ସହଭାଗିତାରେ ଲଘୁ ଖଣିଜ ଚୋରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଦୈନିକ ୨ଶହ ଟ୍ରିପ୍ ମାଟି ଓ ମୋରମ ଚୋରା ଚାଲାଣ ହେଉଛି । ବେଆଇନ୍ ଖନନ ଯୋଗୁଁ ଶହଶହ ଏକର ଜମିରେ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି । ରାଜ୍ୟ ସରକାର କୋଟିକୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଏଥିପାଇଁ ଖଣି କିମ୍ବା ରାଜସ୍ୱ ପକ୍ଷରୁ କୌଣସି ଲିଖିତ ଅନୁମତି ଦିଆଯାଇନଥିବା ଜଣାପଡ଼ିଛି । ରାତିରେ ମାଟି ଚୋରା ଚାଲାଣ ହେଉଥିବା ଜିଲ୍ଲା ଖଣି ଅଧିକାରୀ ଜାଣିଛନ୍ତି । ଏନେଇ ଅଭିଯୋଗ ଆସିଲେ ପୋଲିସ ଓ ଖଣି ବିଭାଗର ମିଳିତ ଟିମ୍ ଚଢ଼ାଉ କରୁଥିବା ଝାରସୁଗୁଡା ଉପ-ଜିଲ୍ଲାପାଳ କହିଛନ୍ତି । ମାଫିଆଙ୍କୁ ଧରି ଏହି ଚୋରି ପଛରେ ଥିବା ବାବୁମାନଙ୍କ ମୁଖା ଖୋଲିବାକୁ ଦାବି ହୋଇଛି ।