କନକ ବ୍ୟୁରୋ:ପ୍ରେମରେ ଜିଇଁବା, ପ୍ରେମକୁ ପାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ । ସେଥିପାଇଁ ତ ପ୍ରେମ କାହାଣୀ ପୂରା ହେବା ପୂର୍ବରୁ ଚାଲିଗଲା ପ୍ରେମିକର ପ୍ରାଣ, ଆଉ ଅଧାରେ ରହିଗଲା ସାଥି ହୋଇ ସଂସାର ଗଢ଼ିବାର ସ୍ବପ୍ନ । ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରେମୀ ଯୁଗଳଙ୍କ ମନ ଭାଙ୍ଗିବା ସହ ସରିଯାଇଛି ସବୁକିଛି । 

Advertisment

ପ୍ରେମ କଲେ କିନ୍ତୁ ବିବାହ ପାଇଁ ଘର ଲୋକେ ରାଜି ହେଲେ ନାହିଁ । ରାତାରାତି ଘରୁ ଫେରାର ମାରିଲେ ପ୍ରେମୀଯୁଗଳ । ହେଲେ ବିଧାତା ଭାଗ୍ୟରେ ଆଉ କିଛି ଲେଖିଥିଲା । ଉଭୟଙ୍କ କପାଳ ଲେଖାନଥିଲା ସାଥିହୋଇ ଜୀବନ ବିତାଇବା । ପ୍ରେମିକା ସାଙ୍ଗରେ ସାରାଜୀବନ ବିତାଇବା ଆଶାରେ ପ୍ରେମିକାଙ୍କୁ ନେଇ ଘରୁ ଗୋଡ଼ କାଢ଼ିଥିବା ବେଳେ ବାଟରେ ଛକି ବସିଥିଲା ଯମ । ଆଉ ରାତିର ଅନ୍ଧାରରେ ହିଁ ଆଖି ବୁଜିଦେଲା ନିଜେ ପ୍ରେମିକ । 

ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ପ୍ରେମିକ ଭାବପୁର ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ବିବାହ କରିବା ପାଇଁ ଘର ଲୋକଙ୍କୁ ମଧ୍ୟ ବାରମ୍ବାର କହିଥିଲେ । ହେଲେ ଘରଲୋକ ଏମାନଙ୍କ ପ୍ରେମକୁ ସ୍ବୀକାର ନକରି ବିବାହ କରିବାକୁ ମନା କରିଦେଇଥିଲେ । ଯେଉଁଥି ପାଇଁ ଉଭୟେ ଘରୁ ଫେରାର ହେବାର ନିଷ୍ପତ୍ତି ନେଲେ । ହେଲେ ସବୁକିଛି ସରିଗଲା, ପ୍ରେମିକର ମୃତ୍ୟୁ ପରେ ଅଧା ରହିଗଲା ପ୍ରେମ କାହାଣୀ । 

ସେପଟେ ପ୍ରେମିକାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଜୀବନ ଆଉ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଘଟଣାସ୍ଥଳରେ ହରଭଙ୍ଗା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ତେବେ ଯଦି ଉଭୟ ପରିବାର ଏହି ପ୍ରେମୀ ଯୁଗଳଙ୍କ କଥା ମାନିଯାଇଥାନ୍ତେ ତା’ ହେଲେ ଆଜି ଏଭଳି ଦୁଃଖଦ ଘଟଣା ଘଟିନଥାନ୍ତା ବୋଲି କୁହାଯାଉଛି ।