କନକ ବ୍ୟୁରୋ : ଜିପସମ ମିଶା ଏସିଡ ପାଣି ଘେରରେ ଗାଁ। ପିପିଏଲ ସାର କାରଖାନାରୁ ବାହାରୁଥିବା ରସାୟନିକ ଯୁକ୍ତ ପାଣି ମିଶିବାରୁ ପ୍ରଭାବିତ ଗ୍ରାମବାସୀ। ପିଇବା ପାଣି ମୁନ୍ଦାଏ ପାଇଁ କଲବଲ ହେଉଛନ୍ତି ଗ୍ରାମବାସୀ। ଜିପସମ୍ ମିଶା ପାଣି ବ୍ୟବହାର କରି ରୋଗଗ୍ରସ୍ତ ହେଉଛନ୍ତି ମଣିଷ ଓ ଗୃହପାଳିତ ପଶୁ । ଏଭଳି ଅଭିଯୋଗ କରିଛନ୍ତି ପାରାଦୀପ ଚନକଣ ଗ୍ରାମବାସୀ ।
ପାରାଦୀପ ପିପିଏଲ୍ ସାର କାରଖାନାର ଜିପସମ ଗଦାକୁ ଲାଗି ରହିଛି ପାରାଦୀପଗଡ ପଞ୍ଚାୟତର ଚନକଣ ଗାଁ। ଗାଁରେ ଥିବା ନଳକୂଅରୁ ବାହାରୁଛି ଫେଣଯୁକ୍ତ ନାଲି ରଙ୍ଗର ପାଣି। ସେ ପାଣିକୁ ଲୋକେ ନା ପିଇ ପାରୁଛନ୍ତି, ନା ସେଥିରେ ରୋଷେଇବାସ କରି ହେଉଛି। ସ୍ଥାନୀୟ ଅଂଚଳର ଜଳସମସ୍ୟା ଦୂର କରିବା ପାଇଁ ପିପିଏଲ କର୍ତ୍ତୃପକ୍ଷ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଉଛନ୍ତି, ତାହା ବି ଲୁଣିଆ ଏବଂ ବ୍ୟବହାର ଅନୁପଯୋଗୀ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ ।
ଏପଟେ ଲୋକଙ୍କ ବାଡିରେ ପଶିଲାଣି ଏସିଡ ପାଣି। ତା' ପ୍ରଭାବରେ ଘାସ ଶୁଖି ଗଲାଣି, ଗଛ ସବୁ ମରିଗଲାଣି। ତେଣୁ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରଶାସନ ଯଦି କିଛି ନକରେ ତେବେ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ସମସ୍ତ ଅଭିଯୋଗକୁ ପିପିଏଲ ପକ୍ଷରୁ ଖଣ୍ଡନ କରାଯାଇଛି।
ଗ୍ରାମବାସୀଙ୍କ ସମସ୍ୟା ସମାଧାନ ଦିଗରେ ପିପିଏଲ କର୍ତ୍ତୃପକ୍ଷ ପଦକ୍ଷେପ ନେବର ଆବଶ୍ୟକତା ରହିଛି ।