କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଲିଜେଣ୍ଡସ ଲିଗ୍। ବିଶ୍ବର ବଛା ବଛା କ୍ରିକେଟରଙ୍କୁ ଦେଖିବାକୁ ମିଳିବ ଗୋଟିଏ ପ୍ଲାଟଫର୍ମରେ। ଟି-୨୦ ଫର୍ମାଟରେ ଖେଳାଯିବ ଏହି ଫଟାଫଟ ଲିଗ୍। ଚଳିତଥର ପ୍ରଥମଥର ପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛି କୋଣାର୍କ ସୂର୍ୟ୍ୟା ଓଡ଼ିଶା। ଉଦଘାଟନୀ ମ୍ୟାଚରେ ମଣିପାଳ ଟାଇଗର୍ସକୁ ଭେଟିବ କୋଣାର୍କ ସୂର୍ୟ୍ୟା ଓଡ଼ିଶା। ଯୋଧପୁରରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଏହି ମ୍ୟାଚ୍। କୋଣାର୍କ ସୂର୍ୟ୍ୟା ଓଡିଶାର ମଙ୍ଗ ସମ୍ଭାଳିବେ ପୂର୍ବତନ ଭାରତୀୟ ଖେଳାଳୀ ଇରଫାନ ପଠାନ। ଉଭୟ ପଠାନ ବ୍ରଦର୍ସ କୋଣାର୍କ ସୂର୍ୟ୍ୟା ଓଡ଼ିଶା ପକ୍ଷରୁ ଖେଳିବେ। ଏହାଛଡା ବିଶ୍ବ କ୍ରିକେଟର ବଡ ଚେହେରା ଅମ୍ବାତୀ ରାଇଡୁ, ପ୍ରବୀଣ ତାମ୍ବେ, ରସ୍ ଟେଲର, ଜେସି ରାଇଡର, କେଭିନ ଓବ୍ରାଏନ, ବିନୟ କୁମାର, ଶାହାବାଜ ନଦିମଙ୍କ ଭଳି ଖେଳାଳୀ କୋଣାର୍କ ସୂର୍ୟ୍ୟା ଓଡ଼ିଶା ଟିମରେ ରହିଛନ୍ତି । ସେପ୍ଟେମ୍ବର ୨୦ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଅକ୍ଟୋବର ୧୬ ପର୍ୟ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ମୋଟ ୬ଟି ଟିମ୍ ଭାଗ ନେଇଥିବା ବେଳେ ୪ଟି ଭେନ୍ୟୁରେ ଖେଳାଯିବ ମ୍ୟାଚ୍। କୋଣାର୍କ ସୂର୍ୟ୍ୟା ଓଡ଼ିଶା ୭ଟି ମ୍ୟାଚ୍ ଖେଳିବ। ମଣିପାଳ ଦଳରେ ଓଡ଼ିଆ ଖେଳାଳୀ ପ୍ରଜ୍ଞାନ ଓଝା, ଷ୍ଟାର ସ୍ପିନର ହରଭଜନ ସିଂ, ରବିନ ଉଥପ୍ପା ରହିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ନୂଆ ଟିମ୍ ଭାବେ କୋଣାର୍କ ସୂର୍ୟ୍ୟା ଓଡ଼ିଶା ଭଲ କରିବ ବୋଲି କହିଛନ୍ତି ଇରଫାନ ପଠାନ। ସେହିଭଳି ପ୍ରବୀଣ ତାମ୍ବେ କହିଛନ୍ତି ଟିମର କମ୍ବିନେସନ ବହୁତ ଭଲ ଅଛି, ଦଳ ବେଶ ସନ୍ତୁଳିତ। ପ୍ରଥମ ପଦାର୍ପଣରେ ଦଳ ଚାମ୍ପିୟନ ହେବ।