କନକ ବ୍ୟୁରୋ: ପତ୍ର ବି ଦେଉଛି ରୋଜଗାର । ଛୋଟରୁ ବଡ଼ ବ୍ୟବସାୟ ପାଲଟିଛି । ପ୍ଲାଷ୍ଟିକ୍ ଓ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ କାଗଜ ତିଆରି ପ୍ଲେଟର ଭୟାବହତା ଜଣା ପଡ଼ିବା ପରେ ଲୋକ ଶାଳପତ୍ରରେ ତିଆରି ଖଲି ଓ ଦନାକୁ ପସନ୍ଦ କରୁଛନ୍ତି । ଲୋକଙ୍କୁ ଶାଳ ଜଙ୍ଗଲରୁ ରୋଜଗାର ମିଳୁଛି । ଲୋକ ଶାଳପତ୍ର ସଂଗ୍ରହ କରି ରୋଜଗାର କରୁଛନ୍ତି । ଏହାର ଉଦାହରଣ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ବରୁଣଗଡ଼ିଆ ଗାଁ ଲୋକ । ଗାଁର ୮୦ ଭାଗ ଲୋକ ଖଲି ତିଆରି କରନ୍ତି । ଚାଷକାମ ସହ ଶାଳପତ୍ରରେ ଖଲି ଓ ଦନା ତିଆରି କରିବା ଏମାନଙ୍କର ଏକ ପ୍ରକାର ବେଉସା । ମହିଳାମାନେ ଅବସର ସମୟରେ ଶାଳପତ୍ରରେ ପ୍ଲେଟ୍ ତିଆରି କରି ଘରକୁ ଆର୍ଥିକ ସହାୟତା କରୁଛନ୍ତି । ଦିନକୁ ୨ରୁ ଅଢ଼େଇ ହଜାର ଖଲି ଓ ୪- ୫ ବସ୍ତା ଠୁଙ୍ଗା ପ୍ରସ୍ତୁତ କରୁଛନ୍ତି । ମାସକୁ ୬- ୭ ହଜାର ଟଙ୍କା ରୋଜଗାର ହେଉଛି ।   

Advertisment

ସ୍ଥାନୀୟ ମହାଜନଙ୍କ ପାଖରୁ ଶାଳପତ୍ର ଆଣି ସିଲେଇ ପରେ ସେହି ମହାଜନଙ୍କୁ ପ୍ଲେଟ୍ ବା ଖଲି ଓ ଦନା ଦିଆଯାଉଛି । ୧୦୦୦ ପତ୍ର ସିଲେଇ ପାଇଁ ୧୦୦ରୁ ୧୨୦ ଟଙ୍କା ମହାଜନ ଦେଉଛନ୍ତି ।  ଏଥିପାଇଁ ୨୦ରୁ ୨୫ ଟଙ୍କା ଖର୍ଚ୍ଚ ହେଉଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡ଼ା, ଚିତ୍ରଡ଼ା ଅଞ୍ଚଳରୁ ମଧ୍ୟ ଶାଳପତ୍ର ଆସୁଛି । ୧ ବସ୍ତା ବା ୭ ଶହ ଦନା ପ୍ରସ୍ତୁତ ପାଇଁ ୨୦୦ରୁ ୨୫୦ ଟଙ୍କା ଖର୍ଚ୍ଚ ହୁଏ । ୩୫୦ରୁ ୪୦୦ ଟଙ୍କାରେ ମହାଜନ କିଣୁଛନ୍ତି । ଜଣେ ମହିଳା ଦୈନିକ ୪- ୫ ବସ୍ତା ଦନା ତିଆରି କରୁଛନ୍ତି । ଏଥିରୁ ୧୦୦୦ରୁ ଅଧିକ ଟଙ୍କା ମିଳୁଛି । ଲୋକଙ୍କଠାରୁ ଏସବୁ  ମହାଜନ ଓ ବ୍ୟବସାୟୀମାନେ କିଣି ନେଉଛନ୍ତି । ମହାଜନ ଓ ବ୍ୟବସାୟୀମାନେ ଏସବୁ ବାହାରେ ବିକି ଯେତିକି ଲାଭ ପାଉଛନ୍ତି, ସେହି ଅନୁସାରେ ତିଆରି କରୁଥିବା ଲୋକଙ୍କୁ ଲାଭ ମିଳୁନାହିଁ । 

ଶାଳପତ୍ର ଖଲି ଓ ଦନାର ବ୍ୟବହାର କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ବି ବ୍ୟବହାର ହେଉଛି । ଅନଲାଇନ ମାର୍କେଟିଂ ସାଇଟରେ ମଧ୍ୟ ଖଲି ଓ ଦନା ଉପଲବ୍ଧ । ଅନ୍ତର୍ଜାତୀୟ ବଜାରରେ ଚାହିଦା ଅଛି। ସରକାରୀ ସହଯୋଗ ମିଳିଲେ ଏହି ବ୍ୟବସାୟ ଆହୁରି ବ୍ୟାପକ ହୋଇପାରିବ ଓ ଶାଳପତ୍ର ଖଲି ପ୍ରସ୍ତୁତକାରୀ ଉପକୃତ ହୋଇପାରିବେ।