କନକ ବ୍ୟୁରୋ: ସୁଗମ ହେବ ଗମନାଗମନ ବ୍ୟବସ୍ଥା । ଏଥିପାଇଁ ବଜେଟ୍ରେ ବ୍ୟୟ ବରାହ ହେଉଛି । କିନ୍ତୁ ସବୁ ଅଞ୍ଚଳବାସୀ ଏହାର ସୁଫଳ ପାଉନାହାନ୍ତି । ରାସ୍ତା ନଥିବାରୁ ନଦୀ ପାରି ହେବା ପାଇଁ ସଂଘର୍ଷ କରୁଛନ୍ତି । ପ୍ରଶାସନ ଉପରୁ ଲୋକଙ୍କ ଭରସା ତୁଟି ଯାଉଛି । ତେବେ ନିଜ ଉଦ୍ୟମରେ କାଠପୋଲ ତିଆରି କରିଛନ୍ତି ଅଞ୍ଚଳବାସୀ । ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ଆସିଛି ଏହି ଖବର।
ସରକାରଙ୍କ ଉପରୁ ଭରସା ତୁଟାଇ ଗମନାଗମନ ପାଇଁ ଲାଗିପଡିଛନ୍ତି ଗ୍ରାମବାସୀ । ପୂର୍ବ ସରକାର କିଛି କଲେ ନାହିଁ । ୧୦ ଖଣ୍ଡ ଗାଁର ଭୋଟ ବର୍ଜନ ଚେତାବନୀ ପରେ ବି ଚେତିଲା ନାହିଁ ପ୍ରଶାସନ । ପୋଲଟିଏ କରିବା ଦିଗରେ କିଛି ପଦକ୍ଷେପ ନେଲେ ନାହିଁ । ତେଣୁ ନାକଟିଦେଉଳ ବ୍ଲକ ଟିକିରା ନଦୀରେ ଗ୍ରାମବାସୀ ନିଜ ଅର୍ଥ ଓ ଶ୍ରମଦାନରେ ଅସ୍ଥାୟୀ କାଠ ପୋଲଟିଏ ତିଆରି କରିଛନ୍ତି । ସାଲେଭଟା ପଞ୍ଚାୟତ ଓ ବାଟଗାଁ ପଞ୍ଚାୟତ ମଧ୍ୟରେ ରହିଛି ଟିକିରା ନଦୀ । ନଦୀ ଏପଟେ ଜୀବନ, ସେପଟେ ଜୀବିକା । ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ୍ ଓ ସାପ୍ତାହିକ ହାଟ ବଜାର ସବୁକିଛି । ପୋଲଟିଏ ପାଇଁ ବାରମ୍ବାର ଦାବି ହେଉଛି ।
୨୪ ବର୍ଷର ବିଜେଡି ସରକାର ଅମଳରେ ତ ହେଲା ନାହିଁ, ବର୍ତ୍ତମାନର ଡବଲ ଇଂଜିନ୍ ସରକାର ଏ ଦୃଶ୍ୟ ଦେଖିବା ପରେ ଚେତିବେ, ଏବଂ ଟିକିରା ନଦୀର କଣ୍ଢଳ- ଗଦାଧରପୁରଠାରେ ସ୍ଥାୟୀ ପୋଲଟିଏ ପାଇଁ ବ୍ୟବସ୍ଥା କରିବେ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି । ଆଦିବାସୀ ଅଧିଷ୍ୟୁତ ସାଲେଭଟା ପଞ୍ଚାୟତ କଣ୍ଢଳ ଗାଁ ନିକଟସ୍ଥ ଟିକିରା ନଦୀରେ ସେତୁ ନିର୍ମାଣ ଲାଗି ପୂର୍ବରୁ ଅର୍ଥ ମଞ୍ଜୁର ହୋଇଥିଲା । ସେହି ଅନୁଦାନକୁ ଚଞ୍ଚକତା କରି ହଡ଼ପ କରାଯାଇଥିବା ନେଇ ପ୍ରାୟ ବର୍ଷେ ତଳୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ସେ ଅଭିଯୋଗର ତଦନ୍ତ ହେଉନାହିଁ କି ୧୦ଟି ଗାଁର ଲୋକଙ୍କ ସମସ୍ୟାର ସମାଧାନ କରାଯାଉନାହିଁ ।