ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ ରମାକାନ୍ତ ରଥଙ୍କ  ଅନ୍ତିମସଂସ୍କାର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ଶେଷକୃତ୍ୟ

ଆସନ୍ତାକାଲି ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ପୁରୀ ସ୍ବର୍ଗଦ୍ବାରରେ ହେବ ସାହିତ୍ୟିକ ରମାକାନ୍ତ ରଥଙ୍କ ଅନ୍ତିମସଂସ୍କାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି ।

Poet Ramakant Rath__

Poet Ramakant Rath__ Photograph: (KanakNews)

କନକ ବ୍ୟୁରୋ: ଆସନ୍ତାକାଲି ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ପୁରୀ ସ୍ବର୍ଗଦ୍ବାରରେ ହେବ ସାହିତ୍ୟିକ ରମାକାନ୍ତ ରଥଙ୍କ ଅନ୍ତିମସଂସ୍କାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ତେଣେ ପରିବାର ପକ୍ଷରୁ କୁହାଯାଉଛି ଯେ କବି ରମାକାନ୍ତ ରଥଙ୍କ ପୁଅ ସିଙ୍ଗାପୁରରୁ  ଆସିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ।  

Last behold
Last behold Photograph: (KanakNews)

ଆଜି ସକାଳେ ନିଜର ଖାରବେଳ ନଗରସ୍ଥିତ ବାସଭବନରେ ରମାକାନ୍ତ ରଥଙ୍କର ପରଲୋକ ଘଟିଛି । ଦେହାନ୍ତ ଖବର ପାଇ ତରୁଣକାନ୍ତି ମିଶ୍ର, ଅସିତ ମହାନ୍ତ ଓ ଗୌରହରି ଦାସଙ୍କ ସମେତ ବହୁ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ, ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ର୍ୟିଦର୍ଶୀଙ୍କ ଭଳି ପ୍ରଶାସକ ଓ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂହ ଓ ମେୟର ସୁଲୋଚନା ଦାସଙ୍କ ସମେତ ରାଜନେତା ଶେଷ ଦର୍ଶନ ପାଇଁ ବାସଭବନରେ ପହଞ୍ଚିଥିଲେ ।  

କବି ରମାକାନ୍ତ ରଥ ୧୩ ଡିସେମ୍ବର ୧୯୩୪ରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀରେ ଭାଷା ସାହିତ୍ୟରେ ରେଭେନ୍ସା କଲେଜରୁ ସ୍ନାତକୋତ୍ତର କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଏହି ସମୟରେ ତାଙ୍କ ରଚିତ କବିତା ସଂକଳନ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ପ୍ରକାଶ ପାଇଥିଲା। ଏହି ସାତଟି କବିତା ସଂକଳନ ମଧ୍ୟରୁ ‘ଶ୍ରୀରାଧା’ ଲାଗି ସେ ସର୍ବାଧିକ ଚର୍ଚ୍ଚିତ ହେବା ସହ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ। ତାଙ୍କ ରଚିତ ସଂକଳନ ସୀମାନ୍ତ ବାସ,ଫେରି ଚାହିଁଲେ, ସବୁଦିନେ ସେପାଖେ, ଯା ନ ଯା କହୁ କହୁ, ସରଳ ହୃଦଗଣିତ ଓ ଧର୍ମପଦର ଆତ୍ମହତ୍ୟା ଆଦି ପାଠକ ମହଲରେ ବେଶ୍ ଆଦୃତ ହୋଇଥିଲା। କବି ରମାକାନ୍ତ ସନ୍ଥ କବୀରଙ୍କ କବିତାର ମଧ୍ୟ ଅନୁବାଦ କରିଥିଲେ ଏବଂ ତାହା ‘ସେବେ, ଏବେ, ସବୁବେଳେ’ ସଂକଳନରେ ସ୍ଥାନିତ ହୋଇଥିଲା ।  ତେବେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ‘ସପ୍ତମ ଋତୁ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କୃତ କରିଥିଲା । ୧୯୮୪ରେ ‘ସଚିତ୍ର ଅନ୍ଧାର’ ସଂକଳନ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୯୨ରେ ସେ ଓଡ଼ିଶାର ମୁଖ୍ୟ ସଚିବ ଥିବା ବେଳେ ଅବସର ଗ୍ରହଣ କରିଥିଲେ । ସେହି ୧୯୯୨ରେ ତାଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ରଚିତ କାବ୍ୟକବିତା ଇଂରାଜୀ ଓ ୮ଟି ଭାରତୀୟ ଭାଷାରେ ଅନୁବାଦିତ ।
୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମିର ଉପ-ସଭାପତି ଏବଂ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାର୍ୟ୍ୟ କରିଥିଲେ । ୨୦୦୯ରେ ସେ ସମ୍ମାନଜନକ ସାହିତ୍ୟ ଏକାଡେମି ଫେଲୋସିପ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ । ସ୍ବକୀୟ ସୃଜନ ପ୍ରତିଭା ଲାଗି ସେ ବହୁ ଭାବେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ୨୦୦୬ରେ ପଦ୍ମ ଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା । ଏଥିସହ ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ( ୨୦୧୮), ବିଷୁବ ପୁରସ୍କାର(୧୯୯୧), ଝଙ୍କାର କବିତା ପୁରସ୍କାର (୧୯୭୦),ସାରଳା ସମ୍ମାନ (୨୦୧୧) ସାହିତ୍ୟ ଭାରତୀ ସମ୍ମାନ( ୨୦୦୬), କଳିଙ୍ଗ ରତ୍ନ (୨୦୦୯) ଓ  ଉତ୍କଳ ରତ୍ନ (୨୦୧୭) ଆଦି ପୁରସ୍କାର ଲାଭ କରିଥିଲେ । ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe