କନକ ବ୍ୟୁରୋ :  ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ପେଜରରେ ୱାକି-ଟକିଜ୍ ସହିତ ଅନେକ ଇଲେଟ୍ରୋନିକ୍‌ ଉପକରଣ ଉପରେ ବିସ୍ଫୋରଣ ପରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଛି । ଏଥିରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଅନେକ ଆହାତ ମଧ୍ୟ ହୋଇଥିଲେ ।  ଏହି ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ଥିବା କୁହାଯାଉଛି । ଏହା ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ହେଲେ ଏହି ଘଟଣାରେ କେରଳର ଜଣେ ଯୁବକଙ୍କ ନାଁ ସାମ୍ନାକୁ ଆସିଛି । ଯିଏ କି ଏବେ ନରୱେର ନାଗରିକ । ମିଡିଆ ରିପୋର୍ଟ ଅନୁଯାୟୀ, ହିଜବୁଲାର ପେଜର୍ କାରବାରରେ ନାର୍ଟୋ ଗ୍ଲୋବାଲ୍ ଲିମିଟେଡ୍ ନାମକ ଏକ ବୁଲଗେରିଆ କମ୍ପାନୀ ଜଡିତ ଥିଲା । ଏହି କମ୍ପାନୀ ନରୱେ ନାଗରିକ ରିନ୍ସନ୍ ଜୋସେଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ରିନ୍ସନ୍ ଜୋସେ କେରଳର ୱାୟାନାଡରେ ଜନ୍ମଗ୍ରହଣ କରିଥିଲେ । ସେଠାରୁ ଏମବିଏ ଶେଷ କରିବା ପରେ ସେ ନରୱେ ଯାଇଥିଲେ। କେରଳରେ ରିନ୍ସନଙ୍କ ପିତା ଜଣେ ଦରଜୀ । ତାଙ୍କର ଟେଲର ଦୋକାନ ରହିଛି । ତେବେ ଏଇଠି ପ୍ରଶ୍ନ ଉଠୁଛି ଜଣେ ସାଧାରଣ ପରିବାର ଘରର ପିଲା ପେଜରରେ ହୋଇଥିବା ବିସ୍ଫୋରଣ ଘଟଣାରେ କିଭଳି ଯୋଡିହେଲା? ବାସ୍ତବରେ, ହିଜବୁଲ ସଦସ୍ୟଙ୍କ ହଜାର ହଜାର ପେଜର ବିସ୍ଫୋରଣ ହେବା ପରେ ତାଙ୍କର ପ୍ରଥମ ଧ୍ୟାନ ପେଜର୍ ଉତ୍ପାଦନକାରୀ କମ୍ପାନୀକୁ ଯାଇଥିଲା । ଏହି ପେଜରଗୁଡ଼ିକରେ ତାଇୱାନର କମ୍ପାନୀ ଗୋଲ୍ଡ ଆପୋଲୋର ବ୍ରାଣ୍ଡ ନାମ ଥିଲା । ତେବେ ଗୋଲ୍ଡ ଆପୋଲୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁ ଚିଙ୍ଗ-କୁଆଙ୍ଗ ସ୍ପଷ୍ଟ କରିଛନ୍ତି ଯେ ‘ଏହି ପେଜର୍ସ ସବୁ ଆମର ନଥିଲା। କେବଳ ଆମର ବ୍ରାଣ୍ଡ ଏହା ଉପରେ ଥିଲା ବୋଲି ସୁଚିଙ୍ଗ-କୁଆଙ୍ଗ କହିଥିଲେ । ଏହା ପରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା । SANS ଏହାର ଅନୁସନ୍ଧାନ କରିଥିଲା । ରିନ୍ସନ୍ ଜୋସେଙ୍କ ବୁଲଗେରିଆ କମ୍ପାନୀର ନାଁ ଆସିବା ପରେ ସେଠାରେ ତଦନ୍ତ ଜାରି ରହିଥିଲା । ଅନୁସନ୍ଧାନ ପରେ SANS କହିଛି ଯେ, ଏହି ବିସ୍ଫୋରଣରେ କମ୍ପାନୀର କୌଣସି ସମ୍ପର୍କ ନାହିଁ । ଏବଂ ସେପ୍ଟେମ୍ୱର ୧୭ରେ ବିସ୍ଫୋରଣ ସହ ଜଡିତ କୌଣସି ଉପକରଣ ବୁଲଗେରିଆରେ ଆମଦାନୀ, ରପ୍ତାନି କିମ୍ବା ଉତ୍ପାଦନ କରାଯାଇ ନାହିଁ ।

Advertisment

ଲେବାନନ ବିସ୍ଫୋରଣରେ କେରଳ ଲିଙ୍କ୍‌!

ଲେବାନନ ବିସ୍ଫୋରଣରେ କେରଳର ଜଣେ ଯୁବକଙ୍କ ନାଁ ସାମ୍ନାକୁ ଆସିଛି 
ସନ୍ଦିଗ୍ଧ ଅଭିଯୁକ୍ତ ଜଣେ ନରୱେର ନାଗରିକ,
ଅଭିଯୁକ୍ତର ନାଁ  ରିନସନ ଜୋସେ, ବୟସ ୩୭
ସେ ଏକ ବୁଲଗେରିଆ କମ୍ପାନୀ କାମ କରେ 
କମ୍ପାନୀର ନାଁ ନାର୍ଟୋ ଗ୍ଲୋବାଲ୍ ଲିମିଟେଡ୍ କମ୍ପାନୀ
କେରଳର ୱାୟାନାଡରେ ଜନ୍ମଗ୍ରହଣ କରିଥିଲେ।
ଏମବିଏ ଶେଷ କରିବା ପରେ ସେ ନରୱେ ଯାଇଥିଲେ
କେରଳରେ ରିନ୍ସନଙ୍କ ପିତା ଜଣେ ଦରଜୀ
ରିନ୍ସନ୍ ଜୋସେଙ୍କ ନାଁ ଆସିବା ପରେ ସେଠାରେ ତଦନ୍ତ