କନକ ବ୍ୟୁରୋ : ସଂସଦରେ ଆଜି ୱାକଫ ବୋର୍ଡ ବିଲ ନେଇ ଜେପିସି ତଦନ୍ତ ରିପୋର୍ଟ ଉପସ୍ଥାପିତ ହୋଇଛି । ଲୋକସଭାରେ କମିଟିର ମୁଖ୍ୟ ଜଗଦମ୍ବିକା ପାଲ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ରିପୋର୍ଟ ଉପସ୍ଥାପନ ହେବା ପରେ ଏହାକୁ ବିରୋଧ କରି କଂଗ୍ରେସ ସମେତ ବିରୋଧୀଦଳମାନେ ଗୃହରେ ହଙ୍ଗାମା କରିଛନ୍ତି । ବିରୋଧୀ ଅଭିଯୋଗ କରିଛନ୍ତି କି, କମିଟିରେ ଥିବା ବିରୋଧୀଦଳ ସାଂସଦମାନଙ୍କ ପରାମର୍ଶକୁ ରିପୋର୍ଟରେ ସ୍ଥାନିତ କରାଯାଇନାହିଁ । ରାଜ୍ୟସଭାରେ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ଏହି ରିପୋର୍ଟକୁ ଅଳ୍ପସଂଖୃକଙ୍କ ଉପରେ ଅତ୍ୟାଚାର ବୋଲି କହିଛନ୍ତି । ଦେଶରେ ମୁସଲମାନଙ୍କ ପାଇଁ ଭିନ୍ନ ମତ ରଖାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ରାଜ୍ୟସଭାରେ କଂଗ୍ରେସ ସାଂସଦ ତଥା ଦଳର କେନ୍ଦ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି, ଏହି ରିପୋର୍ଟ ଅଲୋକତାନ୍ତ୍ରିକ ଓ ଏହାକୁ ପୁଣିଥରେ ଜେପିସି ନିକଟକୁ ପଠାଇଦେବାକୁ ପରାମର୍ଶ ଦେଇଛନ୍ତି ।