କନକ ବ୍ୟୁରୋ : ୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌ରେ ବନ୍ଦ ଅବସ୍ଥାରେ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର । ଭିତର ରତ୍ନ ଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୨ଟି ଚାବି ପଡ଼ିଛି । ଭିତର ରତ୍ନଭଣ୍ଡାର ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା ଦିଆଯାଇଛି । ବାହାର ରତ୍ନ ଭଣ୍ଡାର ଚାବି ଗଜପତିଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ଓ ଭଣ୍ଡାର ମେକାପଙ୍କ ପାଖରେ ରହିବ । 

Advertisment

ନିର୍ଦ୍ଧାରିତ ସମୟ ଅନୁସାରେ ଉତ୍ତରଦ୍ବାର ଦେଇ ଭିତରକୁ ଯାଇଥିଲେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ୧୧ ଜଣିଆ ଟିମ୍ । ଶୋଧ କରାଯାଇଥିଲା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ । ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଥିଲା । ରତ୍ନ ଅଳଙ୍କାର ସ୍ଥାନାନ୍ତରଣର ପୂରା ପ୍ରକ୍ରିୟାର କରାଯାଇଛି ଭିଡିଓଗ୍ରାଫି । ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସକାଳ ୧୦ଟାରୁ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ। ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରୁଥିଲେ ଭକ୍ତ ।