କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ପକ୍ଷରୁ ୨୦୨୫ ଜାନୁଆରୀ ୬, ୭,୮ ତାରିଖ ତିନିଦିନ ଧରି ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ ଭୁବନେଶ୍ୱର ସ୍ଥିତ ଆଇଏମଏଟି ସଭା କକ୍ଷରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ସମ୍ମିଳନୀରେ ସାରା ପୃଥିବୀରୁ ପ୍ରାୟ ୫୦୦ ରୁ ଅଧିକ ପ୍ରତିନିଧି ଯୋଗଦେବେ । ସାରା ଭାରତ ତଥା ଅନ୍ୟ ଦେଶ ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି ସେ ସବୁ ସ୍ଥାନରୁ ପ୍ରତିନିଧୀମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ଚେତନା ଓ ସଂସ୍କୃତି ସଂପର୍କରେ ପ୍ରଶିକ୍ଷଣ ନେବେ ।
ଜାନୁଆରୀ ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିନିମନ୍ତେ ମାନ୍ୟବର ଓଡିଶାର ରାଜ୍ୟପାଳ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି । ସେହିପରି ୭ ତାରିଖ ସନ୍ଧ୍ୟା ୫ଟାରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ୮ ତାରିଖ ଦିନ ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ ସାଂସଦ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟ ପ୍ରଶାସକଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଏହିଦିନ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ, ଶ୍ରୀଜଗନ୍ନାଥ ଗବେଷଣା ସମ୍ମାନ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସମ୍ମାନ ଜ୍ଞାନୀଗୁଣୀ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ମହାମହିମ ରାଷ୍ଟ୍ରପତି ଏଡି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏହାସହ ତାଙ୍କ ଉପସ୍ଥିତ ପାଇଁ ଅନୁଷ୍ଠାନ ତରଫରୁ ପ୍ରାର୍ଥନା କରାଯାଇଛି । ଗଜପତି ମହାରାଜ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଟପୋଷକତା ରହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପୂଜ୍ୟ ମାଧବାନନ୍ଦଜୀ ସରସ୍ୱତୀ, ପୂଜ୍ୟ ପ୍ରଜ୍ଞାନାନନ୍ଦ ସରସ୍ୱତୀ, ପୂଜ୍ୟ ସଦାନନ୍ଦ ସରସ୍ୱତୀ, ତଥା ପୂଜ୍ୟ କେଶବାନନ୍ଦ ସରସ୍ୱତୀ, କୃଷ୍ଣପ୍ରେମାନନନ୍ଦଜୀ ସରସ୍ୱତୀ, ପ୍ରମୁଖ ସାଧୁସନ୍ଥମାନେ ବିଭିନ୍ନ ବିଷୟରେ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଆଶୀର୍ବଚନ ପ୍ରଦାନ କରିବେ । ତାହା ଫଳରେ ସେମାନେ ନିଜ ନିଜ କ୍ଷେତ୍ରରେ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାରରେ ଗଠନମୂଳକ ଭୂମିକା ଗ୍ରହଣ କରିପାରିବେ ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳିଙ୍ଗ ହସ୍ପିଟାଲର ଚେୟାରମ୍ୟାନ ଡ.ଶିତକଣ୍ଠ ଦାଶ ଆବାହକ ରହିଛନ୍ତି । ଶ୍ରୀ ସଚ୍ଚିଦାନନ୍ଦ ଦାସ ବାବାଜୀ, ମହନ୍ତ ରାମକୃଷ୍ଣ ଦାସ, ଡ.ନରେଶ ଚନ୍ଦ୍ର ଦାସ, ଡ.ଅସିତ ମହାନ୍ତି, ପ୍ରଦୀପ କୁମାର ସାହୁ, ଡା. କରୁଣାକର ପ୍ରଧାନ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।