କନକବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ଓଡ଼ିଶା କ୍ୟାବିନେଟ୍‌ରେ ଉପସ୍ଥାପିତ ହେବ କମିଶନ ରିପୋର୍ଟ । ଖୁବଶୀଘ୍ର କ୍ୟାବିନେଟରେ ଏହାର ସମୀକ୍ଷା କରାଯିବ । ଏନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ଏହାର ପରବର୍ତ୍ତୀ ଶୁଣାଣି ମେ ୧୫ରେ ହେବ ବୋଲି ସ୍ଥିର କରାଯାଇଛି । ୨୦୧୮ ମସିହାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଯାଞ୍ଚ ସମୟରେ ପୁରୀ ଜିଲ୍ଲା କର୍ତ୍ତୃପକ୍ଷ ରତ୍ନ ଭଣ୍ଡାରର ଭିତର ଚାବିକୁ ଖୋଜି ପାରିନଥିବାରୁ ବିବାଦ ଆରମ୍ଭ ହୋଇଥିଲା । ତଦନ୍ତ ପାଇଁ ଜଷ୍ଟିସ ରଘୁବର ଦାସଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିଶନ ଗଠନ ହୋଇଥିଲା ।

Advertisment

ତେବେ ଡୁପ୍ଲିକେଟ ଚାବି ନିଖୋଜ ହେବାର ଦୁଇ ମାସ ପରେ ଜିଲ୍ଲା ରେକର୍ଡ ରୁମରୁ ରହସ୍ୟମୟ ଭାବେ ମିଳିଥିବା କୁହାଯାଇଥିଲା । ଯାହା ମନ୍ଦିର ପ୍ରଶାସନର ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଥିଲା । ପରେ ବିଜେପି ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ପ୍ରମୁଖ ମୁଦ୍ଦା କରିଥିଲା  ।  ବିଜେଡି ନ୍ୟାୟିକ ରିପୋର୍ଟକୁ ଚାପି ଦେଇଥିବା ଅଭିଯୋଗ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଯିବ ବୋଲି ଓଡ଼ିଶାବାସୀଙ୍କୁ ଭରସା ଦେଇଥିଲେ  ।  ଏବେ ଜଷ୍ଟିସ ରଘୁବର ଦାସ କମିଶନ ରିପୋର୍ଟ ଖୁବଶୀଘ୍ର ରାଜ୍ୟ କ୍ୟାବିନେଟ ଦ୍ୱାରା ସମୀକ୍ଷା କରାଯିବ ବୋଲି କୁହାଯାଉଛି ।