କନକ ବ୍ୟୁରୋ: ବିଧାନସଭାରେ ଉଠିଲା ସ୍ମାର୍ଟ ମିଟର ପ୍ରସଙ୍ଗ । ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ରଖିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ବୁଧବାର ଗୃହରେ ଟାଟା ପାଓ୍ୱାରର ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ ପ୍ରଶ୍ନ କରିବା ସହିତ ବିନା କାରଣରେ ଲୋକମାନଙ୍କ ପାଖକୁ ଅଧିକ ବିଲ୍ ଆସୁଥିବା ବିଧାୟକ ଅଭିଯୋଗ କରିଥିଲେ । ଯାହାର ଉତ୍ତର ରଖିଥିଲେ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ।

ମନ୍ତ୍ରୀ କହିଥିଲେ ଯେ, ଲୋକମାନେ ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣାରେ ବିଜୁଳି ପାଇବା ଆଶା ରଖନ୍ତୁ ନାହିଁ । ତେବେ ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଓ ମେସେଜ ଦିଆଯାଉଛି । ଅନେକ ସମୟରେ ସୁଇଚ ଅଫ କେହି କରୁନାହାଁନ୍ତି । ତା ସହ ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି, ମୋବାଇଲ ଚାର୍ଜର ସୁଇଚ୍ କେହି ବନ୍ଦ କରୁନାହାଁନ୍ତି, ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ । ତତ୍ ସହିତ ମନ୍ତ୍ରୀ ସବୁ ବିଧାୟକଙ୍କୁ ନିବେଦନ କରିଛନ୍ତି ଯେ, ଉପଭୋକ୍ତାମାନଙ୍କୁ ସଚେତନ କରନ୍ତୁ । ମିଟରରେ ଅସୁବିଧା ଥିଲେ ଟାଟା ପାୱାର କର୍ମଚାରୀ ପହଞ୍ଚି ସମସ୍ୟା ଦୂର କରିବେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ ବୋଲି ମନ୍ତ୍ରୀ ଗୃହରେ ସ୍ପଷ୍ଟୋକ୍ତି ରଖିଛନ୍ତି ।

ଅନ୍ୟପଟେ ଯାଜପୁର ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, 5Tର ଶକ୍ ରୁ ଏପର୍ଯ୍ୟନ୍ତ ବାହାରି ପାରିନାହାଁନ୍ତି । 5T ସ୍କୁଲ ବିଜୁଳି ବିଲ୍ ପେମେଣ୍ଟ ହୋଇନି, ପରିଣାମ ଭୋଗୁଛି ସ୍କୁଲ । ତେବେ 5T ବୋଲି ନାଁ ବିଭାଗ ଥିଲା, ନା ବଜେଟରେ କୌଣସି ପ୍ରାବଧାନ ହୋଇଛି । ଏହି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ପିଲାଏ ଏହାର ପରିଣାମ ଭୋଗୁଛନ୍ତି । ପଞ୍ଚାୟତକୁ ବକେୟା ବିଲ୍ ପୈଠ କରିବାକୁ ୧୦୫ କୋଟି ଟଙ୍କା ଭରଣା ପାଇଁ ଦିଆଯାଇଛି । ସ୍କୁଲ କଥା ପଡୁଥିବାରୁ ଗଣଶିକ୍ଷା ମନ୍ତ୍ରୀ ଏହା ଉପରେ ଧ୍ୟାନ ଦେବେ ବୋଲି ଆଶା କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।