କନକ ବ୍ୟୁରୋ: ବାରବାଟୀ ମ୍ୟାଚ୍ ପାଇଁ ହଜାର ହଜାର କ୍ରିକେଟ ପ୍ରେମୀ ଟିକେଟ ଖଣ୍ଡିଏ ନପାଇ ନିରାଶ ହୋଇଥିବାବେଳେ ୩୦ ହଜାରରୁ ଅଧିକ ପାସ ବଣ୍ଟାଯାଇଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ଜନ ଅସନ୍ତୋଷ ଲାଗି ରହିଥିବାବେଳେ ଏହି ଘଟଣା ରାଜନୈତିକ ପ୍ରସଙ୍ଗ ପାଲଟିଛି। ଓସିଏ ଓ କ୍ରୀଡା ବିଭାଗର ଏଭଳି କାର୍ଯ୍ୟକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ କଡା ସମାଲୋଚନା କରିଛନ୍ତି।
ଏପଟେ ଏହି ଘଟଣାରେ, ଆଉ ପାଦେ ଆଗକୁ ଯାଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ପାସ୍ ବଣ୍ଟାଯିବା ପ୍ରସଙ୍ଗ ବିଧାନସଭାରେ ଉଠିବ। ଏଥିସହ କାହାକୁ ୩୦ ହଜାର ପାସ୍ ବଣ୍ଟାଗଲା ସେ ନେଇ ଶ୍ବେତପତ୍ର ଜାରି କରିବାକୁ ଦାବି କରିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।
ଅନ୍ୟପଟେ ପାସ୍ ଜାଲିଆତିକୁ ନେଇ ବିରୋଧୀଙ୍କ ତମ୍ବିତୋଫାନ ଭିତରେ ସଫେଇ ରଖିଛନ୍ତି କ୍ରୀଡା ମନ୍ତ୍ରୀ। କହିଛନ୍ତି, ଟିକେଟ୍ ବ୍ଲାକ୍ କିମ୍ବା କଳାବଜାରୀ ଗ୍ରହଣୀୟ ନୁହେଁ। ହେଲେ, ଏତେ ସଂଖ୍ୟାରେ ପାସ୍ କାହିଁକି ଓ କାହାକୁ ବଣ୍ଟାଗଲା ସେ ନେଇ ସ୍ପଷ୍ଟ ଉତ୍ତର ଦେଇନାହନ୍ତି ମନ୍ତ୍ରୀ। ସୂଚନାଯୋଗ୍ୟ ଯେ, ବାରବାଟୀ ଷ୍ଟାଡିୟମରେ ୪୫ ହଜାର ଦର୍ଶକ ବସିବାର କ୍ଷମତା ରହିଛି। କିନ୍ତୁ ବିଡମ୍ବନାର ବିଷୟ ମାତ୍ର ୧୫ ହଜାର ଟିକେଟ ବିକ୍ରି ହୋଇଥିଲା। ଅବଶିଷ୍ଟ ୩୦ ହଜାର ଟିକେଟକୁ ପାସ ଆକାରରେ ବାଣ୍ଟି ଦିଆଯାଇଥିଲା। ହେଲେ, ଏତେ ପାସ କିଏ ନେଲା? ତାହା ଅସ୍ପଷ୍ଟ ରହିଛି।