କନକ ବ୍ୟୁରୋ :  ରଥଯାତ୍ରା ବେଳେ ଶରଧାବାଲିରେ ଦଳଚକଟା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଅନେକ ଶ୍ରଦ୍ଧାଳୁ ଆହତ ହୋଇ ମେଡିକାଲକୁ ଯାଇଥିଲେ । ଏହାକୁ ନେଇ ବିରୋଧୀ ଜୋରଦାର ରାଜନୀତି ମଧ୍ୟ କରିଥିଲେ । ଶେଷରେ ବିରୋଧୀଙ୍କ ଦାବିକୁ ସମ୍ମାନ ଦେଇ ରାଜ୍ୟ ସରକାର ଏକ କମିଟି ଗଠନ କରି ତଦନ୍ତ ଦାୟିତ୍ୱ ଦେଇଥିଲେ । ଏବେ ଏହି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଦେଇଛନ୍ତି ଉନ୍ନୟନ କମିସନର ଅନୁଗର୍ଗ । ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳଚକଟା ପାଇଁ କିଏ ପ୍ରକୃତରେ ଦୋଷୀ, ଏବେ କାହା ମୁଣ୍ଡରେ ପଡିବ ଖଣ୍ଡା? କାହା ମୁଣ୍ଡ ଗଡିବ? ମୁଖ୍ୟମନ୍ତ୍ରୀ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେବେ, ତା ଉପରେ ସମସ୍ତଙ୍କ ନଜର ରହିଛି। ଏହାରି ଭିତରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ମୁଖ୍ୟମନ୍ତ୍ରୀ ତାର ନିଷ୍ପତ୍ତି ନେବେ ।