କନକବ୍ୟୁରୋ : ପ୍ରସ୍ତୁତ ହୋଇ ପଡି ରହିଛି ୨କୋଟି ବ୍ୟୟର ତିନି ତିନୋଟି ସରକାରୀ କୋଠା । କେଉଁଠାରେ ଘରେ ଗଛ ଲତାମାଡିଗଲାଣି ତ କେଉଁଠି ଗୋବର ପଡି ଚଟାଣ ପରିପୂର୍ଣ୍ଣ ହୋଇଗଲାଣି । ପୁଣି କେଉଁଠି ମଦ କାଚ ଗୁଡିକ ଭଗ୍ନ ଅବସ୍ଥାରେ ପଡି ରହିଛି। ଏ କୌଣସି ଭୂତ କୋଠୀର ଚିତ୍ର ନୁହେଁ ଏ ହେଉଛି ସରକାରୀ ପ୍ରକଳ୍ପ ନିମନ୍ତେ ପ୍ରସ୍ତୁତ କୋଠା । ୨୭ ବର୍ଷ ହେବ କାର୍ଯ୍ୟକାରୀ ଅପେକ୍ଷାରେ ଉକ୍ତ କୋଠାଗୁଡିକ ପଡିରହିଛି। ବାଲେଶ୍ବର ଜିଲ୍ଲା ନୀଳଗିରିରୁ ଦେଖିବା ଏହି ରିପୋର୍ଟ ।
୧୯୯୮ ମସିହାରେ ସିଟି ସ୍କୁଲ ଭିତି ପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୀନକୀ ବଲ୍ଲଭ ପଟ୍ଟନାୟକ । ନୀଳଗିରି ବ୍ଲକ ଜଡିଦା ପଞ୍ଚାୟତ ପୋଡାଶୋଳ ଗାଁରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଲାଗି ୨କୋଟିର ବ୍ୟବବରାଦ ହୋଇଥିଲା । ସାଧାରଣ ଜନତାଙ୍କ ଟିକସ ଟଙ୍କାରେ ୭ଟି ଶ୍ରେଣୀଗୃହ ଓ ଛାତ୍ରଛାତ୍ରୀଙ୍କ ରହଣୀ ନିମନ୍ତେ ୨ଟି ହଷ୍ଟେଲ ନିର୍ମାଣ କରାଗଲା। କୋଠା ନିର୍ମାଣ ସିନା ସରିଗଲା
ଏ ଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ । ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ଘରଗୁଡିକ ଭୂତକୋଠି ପାଲଟିଛି। ଅଣ୍ଟାଏ ଉଚ୍ଚର ଗଛ ଉଠିବା ସହ କବାଟ ଝରକାରେ ଉଈ ଲାଗି ନଷ୍ଟ ହୋଇଗଲାଣି। ଏହାର ଫାଇଦା ଉଠାଇ ଅସାମାଜିକ ଲୋକମାନେ ଏଠାରେ ଆଡ଼ା ଜମାଉଛନ୍ତି । ପୋଡାଶୋଳ ଗାଁରେ କେନ୍ଦ୍ରଟି ପ୍ରସ୍ତୁତି ହେବା ପୂର୍ବରୁ ରେମୁଣା ଅଞ୍ଚଳରେ ଶିକ୍ଷା ଓ ପ୍ରସିକ୍ଷଣ କେନ୍ଦ୍ରଟି ଚାଲୁ ହୋଇଥିଲା ।
ସିଟି ସ୍କୁଲ ପାଇଁ କୋଠା ନିର୍ମାଣ ସରିବା ପରେ ମଧ୍ୟ ପୁରୁଣା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉନାହିଁ । ଏହାକୁ ନେଇ ୨୦୧୫ରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ମାମଲା ଏବେ ବି ଉଚ୍ଚ ନ୍ୟାୟାଳୟରେ ବିରାରଧୀନ ରହିଛି । ସ୍ଥାନୀୟ ପ୍ରସାଶନ ପକ୍ଷରୁ ୨୦୨୨ରେ ଗୋଟିଏ ଘରକୁ ବାଳ ସୁଦ୍ଧାର କେନ୍ଦ୍ର ପ୍ରସ୍ତୁତି ନିମନ୍ତେ ମରାମତି କରାଯାଇଥିଲେ ମଧ୍ୟ ତାହା ଏଯାବତ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ଏନେଇ ବିଭାଗୀୟ ଅଧିକାରୀ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିନାହାନ୍ତି ।