କନକ ବ୍ୟୁରୋ: ବାଲେଶ୍ବରର ପ୍ରତୀକ୍ଷା ଦାସ । ଭଲ ପାଠ ପଢୁଥିଲେ । ଘର ଲୋକଙ୍କ ଇଚ୍ଛା ଥିଲା, ଝିଅ ବଡ଼ ଅଫିସର ହେବ। କିନ୍ତୁ ପ୍ରତୀକ୍ଷାଙ୍କ ରୁଚି ଥିଲା କେକ୍ ତିଆରି । ସ୍ବତନ୍ତ୍ର ଦିନରେ ପରିବାର ପାଇଁ କେକ୍ କରୁଥିଲେ ପ୍ରତୀକ୍ଷା । ସମସ୍ତଙ୍କୁ ପସନ୍ଦ ଆସୁଥିଲା । ଏହାକୁ ବ୍ୟବସାୟରେ ପରିଣତ କରିବାକୁ ସେ ମନ କରିଥିଲେ । ଝିଅ କଥାରେ ରାଜି ହେବେ କି ନାହିଁ, ସ୍ଥିର କରିପାରୁନଥିଲେ ଘରଲୋକ । ଶେଷରେ ଝିଅର ଆଗ୍ରହ ଦେଖି ପରିବାର ସମର୍ଥନ କଲେ । ଅନେକ ଥର କେକ୍ ପ୍ରସ୍ତୁତ କରିବା ବେଳେ ନଷ୍ଟ ହୋଇଛି । ସଞ୍ଚିତ ଅର୍ଥରେ ଅର୍ଡର୍ ମୁତାବକ କେକ୍ ବନାଇ ଚାଲିଲେ ପ୍ରତୀକ୍ଷା । ଗ୍ରାହକ ପସନ୍ଦ କଲେ । ଅର୍ଡର୍ ବଢ଼ି ଚାଲିଲା ।
ଛୋଟରୁ ବଡ଼ ସାଇଜ କେକ୍ ଏପରିକି ୩-୪ ଥାକିଆ କେକ୍ ବନାଉଛନ୍ତି ପ୍ରତୀକ୍ଷା । ବାହାଘର, ଜନ୍ମଦିନ, ବିବାହ ବାର୍ଷିକୀ, ନିର୍ବନ୍ଧ ସହ ବିଭିନ୍ନ ଉତ୍ସବ ପାଇଁ କେକ୍ ଅର୍ଡର୍ ଆସୁଛି । ସୁନ୍ଦର ଡିଜାଇନ ସାଙ୍ଗକୁ ଉତ୍ତମ ମାନକୁ ଗୁରୁତ୍ବ ଦେଉଥିବା କହିଛନ୍ତି ପ୍ରତୀକ୍ଷା । ଘରେ ରହି ହୋମ୍ ବେକେରି ପ୍ରତୀକ୍ଷାଙ୍କୁ ରୋଜଗାର ଦେବା ସହ ପରିଚୟ ମଧ୍ୟ ଦେଇଛି । ଏବେ ଝିଅର ସଫଳତା ପାଇଁ ବାପା ମା’ ଖୁସି । ପିଲାମାନେ ଯାହା କରିବାକୁ ଚାହୁଛନ୍ତି, ତାଙ୍କୁ ପ୍ରୋତ୍ସାହିତ କରିବା ଉଚିତ ବୋଲି କହିଛନ୍ତି ।
ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ କଲେ ନିଶ୍ଚୟ ସଫଳତା ମିଳିବ । ଏହା ପ୍ରମାଣ କରି ଦେଖାଇଛନ୍ତି ପ୍ରତୀକ୍ଷା । ଏହି ବ୍ୟବସାୟରୁ ପ୍ରତୀକ୍ଷା ମାସକୁ ୨୫ ହଜାରରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ତାଙ୍କ କେକ୍ର ଦାମ ୨୦୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । କେକ୍ ବନାଇବା, ସଜାଇବା, ପ୍ୟାକିଂ ଓ ଡେଲିଭରି କାମ ସେ ନିଜେ କରନ୍ତି । ଆଗକୁ ନିଜ ବ୍ୟବସାୟ ବଢ଼ାଇବା ସହ ଅନ୍ୟମାନଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ରଖିଛନ୍ତି ପ୍ରତୀକ୍ଷା । ଅନ୍ୟମାନଙ୍କ ପାଇଁ ପ୍ରତୀକ୍ଷା ପ୍ରେରଣା ପାଲଟିଛନ୍ତି ।