ଜୀବନର ଅନେକ ରଙ୍ଗ ଦେଖିଲେ ଅନ୍ତେବାସୀ । ବୃଦ୍ଧାଶ୍ରମରେ ରହୁଥିବା ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଜରାଶ୍ରମର କର୍ମକର୍ତ୍ତା ।

QQ

କନକ ବ୍ୟୁରୋ: ଜୀବନ ସବୁବେଳେ ଫିକା ଫିକା ନୁହେଁ... କେବେ କେବେ ଅସହାୟଙ୍କ ଜୀବନ ଆକାଶରେ ବି ରଙ୍ଗ ବୋଳା ହୁଏ... ମନ ମନୋରଞ୍ଜନ ଖୋଜେ, ଟିକେ ବୁଲିବାକୁ ଇଚ୍ଛା କରେ... ଚାରି କାନ୍ଥର ଜୀବନରେ ଯେତେ ସୁବିଧା ସୁଯୋଗ ଥିଲେ ବି ଖୋଲା ଆକାଶ, ରାସ୍ତାଘାଟ, ଗାଡ଼ି ମଟରର କେଁ କାଁ ବି କେବେ ଶୁଣିବାକୁ କୌତୁହଳ ସୃଷ୍ଟି ହୁଏ... କାରଣ ସେମାନେ ମଣିଷ ଆଉ ମଣିଷ ଜୀବନରେ ଏସବୁ ଜଡ଼ିତ ରହିବା ବି ଦରକାର ।

ସେହି ଉଦ୍ଦେଶ୍ୟକୁ, ସେହି ସ୍ୱପ୍ନକୁ ସତ କରିବାକୁ ଏକ ଅଭିନବ ପ୍ରୟାସ କରିଛନ୍ତି 'ସ୍ବପ୍ନ ମନ୍ଦିର' ଜରାଶ୍ରମର କର୍ମକର୍ତ୍ତା । ଆଉ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ନେଇ ଦେଖାଇଛନ୍ତି ସିନେମା । ଚକାଚକ ହଲ୍, ସାମ୍ନାରେ ବିରାଟ ପରଦା, ଡଲବି ସାଉଣ୍ଡକୁ ନରମ ଚେୟାରର ମଜା... ବଡ଼ ପରଦାରେ ଓଡିଆ ସିନେମା, ଓଡ଼ିଶାର କାହାଣୀ ଓଡ଼ିଶାର ଲୋକକଳା ଏବଂ ବାଘନାଚକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମା ରଙ୍ଗଶୁର ଦେଖିବା ବେଳେ କାହାରି ବି ପଲକ ପଡୁନଥିଲା, ମଝିରେ ମଝିରେ ଏସି ଥଣ୍ଡାରେ ଦେହ ଥରୁଥିଲେ ବି କିଏ ଗାମୁଛା ଘୋଡି ପଡୁଥିଲା ତ କିଏ ଶାଢୀ କାନି... ଅତୀତରେ ସମାଜ ଠକି ଦେବା ପରେ, ଜୀବନ ବାଟ ବଦଳେଇବା ପରେ ହୁଏତ ଏମାନେ ପ୍ରଥମ ଥର ଅତ୍ୟାଧୁନିକ ସିନେମା ହଲରେ ଫିଲ୍ମ ଦେଖୁଥାଇ ପାରନ୍ତି କିନ୍ତୁ ସେମାନେ ସେମାନଙ୍କ ପରିବର୍ତ୍ତିତ ଜୀବନ ଓ ଏବେର ପରିଚୟ, ଏବେର ଜୀବନ ଶୈଳୀକୁ ନେଇ ବେସ୍ ବିନ୍ଦାସ ବୋଲି ବାରି ହୋଇ ପଡୁଥିଲା ।

ତେବେ ସମାଜସେବୀ ପିନାକ ପାଣି ମହାନ୍ତିଙ୍କ ପୁଅ ଶିବାୟର ଜନ୍ମଦିନ ଅବସରରେ 'ସେବା ହିଁ ସେବା' ଅନୁଷ୍ଠାନର 'ସ୍ୱପ୍ନ ମନ୍ଦିର' ଜରାଶ୍ରମର ସମସ୍ତ ଅନ୍ତେବାସୀଙ୍କ ମୁହଁରେ ଟିକିଏ ଖୁସି ବାଣ୍ଟିବା ପାଇଁ ଆଜି ପାହାଳ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ନିକଟସ୍ଥ ସିନେମା ହଲରେ  ସୁନ୍ଦର ଓଡ଼ିଆ ଚଳଚିତ୍ର ରଙ୍ଗଶୁର ଦେଖିବା ସୁବିଧା କରି ସମାଜକୁ ଏକ ନିଆରା ପ୍ରୟାସ କରିଥିଲେ ।

ତେବେ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇ ଏଠାରେ ରଖାଯାଇଛି ଆଉ ସେମାନଙ୍କ ମନୋରଞ୍ଜନ ପାଇଁ ମଝିରେ ମଝିରେ ଏମିତି ବ୍ୟବସ୍ଥା କରାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe