କନକ ବ୍ୟୁରୋ : ଭାରତରେ କୋଭିଡ୍-୧୯ ମାମଲାରେ ସାମାନ୍ୟ ବୃଦ୍ଧି ଦେଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମେ ୧୯ ସୁଦ୍ଧା, ଦେଶରେ ୨୫୭ଟି ସକ୍ରିୟ ପଜିଟିଭ କେସ ରହିଛି । ଯେଉଁଥିରୁ ଅଧିକାଂଶ କେରଳ, ତାମିଲନାଡୁ ଓ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ଦୁଇଟି କୋଭିଡ୍ ସମ୍ପର୍କିତ ମୃତ୍ୟୁ ରିପୋର୍ଟ ହୋଇଛି, ଯେଉଁଥିରେ ଜଣେ ୫୯ ବର୍ଷୀୟ କ୍ୟାନ୍ସର ରୋଗୀ ଓ ଜଣେ ୧୪ ବର୍ଷୀୟ ଶିଶୁ ଅଛନ୍ତି । ଏହି ବୃଦ୍ଧି ଜେଏନ.୧ ଭାରିଆଣ୍ଟ ଓ ପ୍ରତିରୋଧକ ଶକ୍ତି ହ୍ରାସ ହେତୁ ହେଉଛି । ଡାକ୍ତରମାନେ କହିଛନ୍ତି, ଅଧିକାଂଶ ରୋଗୀଙ୍କର ଲକ୍ଷଣ ମୃଦୁ ଏବଂ ୫ରୁ ୭ ଦିନ ମଧ୍ୟରେ ସେମାନେ ସୁସ୍ଥ ହେଉଛନ୍ତି । ତଥାପି, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୋଇବା ଭଳି ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ମହାରାଷ୍ଟ୍ରରେ ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ୫ ଦିନ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦେଶ ଏବଂ ବିଦେଶରେ ପୁଣି ଥରେ କାୟା ବିସ୍ତାର କରିବାକୁ ଚେଷ୍ଟା କରୁଛି କରୋନା ଭାଇରସ । ଏଥର କୋଭିଡ୍ ୧୯ର ନୂତନ ପ୍ରକାର ଜେଏନ ୱାନ୍ର ଅନେକ ମାମଲା ରିପୋର୍ଟ ହୋଇଛି । କେରଳରେ ସର୍ବାଧିକ ୯ ଏହା ପରେ ତାମିଲନାଡୁରେ ୬୬ଟି ଏବଂ ତା’ପରେ ମହାରାଷ୍ଟ୍ରରେ ୫୬ଜଣ ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ଦେଶର ୧୧ଟି ରାଜ୍ୟରେ ବର୍ତ୍ତମାନ କରୋନାର ସକ୍ରିୟ ମାମଲା ରହିଛି ।
କରୋନାର JN.1 ପ୍ରକାରର ସାଧାରଣ ଲକ୍ଷଣ
ଜ୍ୱର, କାଶ, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କାପଣ ଏବଂ ମାଂସପେଶୀ ଯନ୍ତ୍ରଣା, ଭୋକ ନହେବା, ବାନ୍ତି ହେବା, ପାକସ୍ଥଳୀରେ ସମସ୍ୟା
ସିଙ୍ଗାପୁର, ହଂକଂ ଓ ଥାଇଲାଣ୍ଡରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ଜେଏନ.୧ ଓ ଏହାର ଉପ-ଭାରିଆଣ୍ଟ ଏଲଏଫ.୭ ଏବଂ ଏନବି.୧.୮ ଦ୍ରୁତ ଗତିରେ ବ୍ୟାପୁଛି । ହସ୍ପିଟାଲରେ ଭର୍ତ୍ତି ହାର ୩୦% ବୃଦ୍ଧି ପାଇଛି । ହଂକଂରେ ପରୀକ୍ଷା ପଜିଟିଭ୍ ହାର ମାର୍ଚ୍ଚରେ ୬.୨୧% ଥିବାବେଳେ ମେ ୧୮ ସୁଦ୍ଧା ୧୩.୬୬%କୁ ବୃଦ୍ଧି ପାଇଛି । ଏହି ବୃଦ୍ଧିର କାରଣ ଜେଏନ.୧ ଓ ଏହାର ଉପ-ଭାରିଆଣ୍ଟର ଦ୍ରୁତ ସଂକ୍ରମଣ, ଟିକା ଓ ପୂର୍ବ ସଂକ୍ରମଣରୁ ପ୍ରତିରୋଧକ ଶକ୍ତି ହ୍ରାସ ଏବଂ ସାମାଜିକ ମିଳାମିଳି ବୃଦ୍ଧି ପାଇଁ ଘଟିଛି । ସିଙ୍ଗାପୁର ଓ ହଂକଂରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ବୁଷ୍ଟର ଟିକା ନେବାକୁ ପରାମର୍ଶ ଦେଇଛନ୍ତି । ହଂକଂରେ, ସ୍ୱାସ୍ଥ୍ୟ କେନ୍ଦ୍ର କହିଛି ଯେ ଭାଇରସ ଅଧିକ ମାତ୍ରାରେ ବ୍ୟାପୁଛି । ମେ ମାସର ପ୍ରଥମ ତିନି ଦିନ ସୁଦ୍ଧା, ହଂକଂରେ ୩୧ ଟି ଗୁରୁତର ମାମଲା ରିପୋର୍ଟ ହୋଇଛି । ଥାଇଲ୍ୟାଣ୍ଡରେ, ଗତ ଦୁଇ ସପ୍ତାହ ମଧ୍ୟରେ, ମେ ୧୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ମାମଲା ସଂଖ୍ୟା ୧୬,୦୦୦ ରୁ ଦ୍ୱିଗୁଣିତ ହୋଇ ୩୩,୦୦୦ ରୁ ଅଧିକ ହୋଇଛି । ଅଧିକାଂଶ ମାମଲା ବ୍ୟାଙ୍କକ, ଚୋନ୍ ବୁରି, ରାୟୋଙ୍ଗ ଏବଂ ନନ୍ଥାବୁରିର ରିପୋର୍ଟ କରାଯାଇଛି । ଥାଇଲ୍ୟାଣ୍ଡ ସରକାର ନାଗରିକମାନଙ୍କୁ "ବୁଷ୍ଟର ଟୀକାକରଣ" ନେବାକୁ ଅନୁରୋଧ କରିଛି ।