କନକ ବ୍ୟୁରୋ: ପହଲଗାମ୍‌ ଆତଙ୍କୀ ଆକ୍ରମଣ ପୂରା ଦେଶକୁ ଦୋହଲାଇ ଦେଇଛି । ନରରାକ୍ଷସଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି  ଅନେକ ନିରୀହ ପର୍ଯ୍ୟଟକ । ଉଜୁଡ଼ି ଯାଇଛି ଅନେକ ସଂସାର । ଭାରତର ଭୂସ୍ୱର୍ଗରେ ବହି ଯାଇଛି ରକ୍ତର ନଦୀ । କାନ୍ଦୁଛି କାଶ୍ମୀର କାନ୍ଦୁଛି ଭାରତ ମା’ । ଏହି ଆକ୍ରମଣ ପଛରେ ରହିଛି ପାକିସ୍ତାନର ହାତ । 

Advertisment

ଏହି ଆକ୍ରମଣ ପରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ଆରମ୍ଭ କରିଦେଇଛି ଭାରତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ନିଆଯାଇଛି କଠୋର ନିଷ୍ପତ୍ତି । ଯେଉଁଥିରେ କି ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିବାପାଇଁ ନିଷ୍ପତ୍ତି ବି ନିଆଯାଇଛି । ଭାରତ ତରଫରୁ ନିଆଯାଇଥିବା ଏହି ପାୱାର ଷ୍ଟ୍ରାଇକ୍‌ ପାକିସ୍ତାନ ପାଇଁ କଡ଼ା ଜବାବ । 

ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ସେପ୍ଟେମ୍ବର ୧୯ ତାରିଖରେ ସିନ୍ଧୁ ନଦୀର ଜଳକୁ ନେଇ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତିନାମା ବିଶ୍ୱବ୍ୟାଙ୍କର ସହାୟତାରେ ହୋଇଥିଲା । ଏଥିରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ଆୟୂବ ଖାନ ଦସ୍ତଖତ କରିଥିଲେ । ଏହି ଚୁକ୍ତି ଅନୁସାରେ ସିନ୍ଧୁ ନଦୀ ପ୍ରଣାଳୀରେ ଆସୁଥିବା ୬ଟି ନଦୀ ଯଥା ରାବୀ, ବ୍ୟାସ ଓ ସତଲୁଜ ନଦୀର ପାଣି ଭାରତ ଏବଂ ସିନ୍ଧୁ, ଝେଲମ୍ ଓ ଚିନାବର ପାଣି ପାକିସ୍ତାନ ନେଇପାରିବ । ଏହାସହ ଏ ସମସ୍ତ ନଦୀର କିଛି କିଛି ପାଣି ଉଭୟ ଦେଶ ବ୍ୟବହାର କରିପାରିବେ ବୋଲି ଉଲ୍ଲେଖ ରହିଛି । 

ଯଦି ଆମେ ସିନ୍ଧୁ ଜଳ ଚୁକ୍ତିର ଇତିହାସ ଦେଖିବା ତେବେ ଦେଶ ସ୍ୱାଧୀନ ପାଇବା ପରେ ଦୁଇଭାଗରେ ବିଭକ୍ତ ହୋଇଥିଲା । କେବଳ ଦେଶ ବିଭାଜନ ହୋଇନଥିଲା ପଞ୍ଜାବ ପ୍ରାନ୍ତକୁ ବି ଦୁଇଭାଗରେ ବିଭକ୍ତ କରାଯାଇଥିଲା । ଏହି କ୍ରମରେ ପଞ୍ଜାବ ପ୍ରାନ୍ତ ଦେଇ ପ୍ରବାହିତ ହେଉଥିବା ନଦୀର ଜଳକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏସବୁ ନଦୀର ଜଳକୁ ଭାଗ କରିବା ସେତେବେଳେ ଉଭୟ ଭାରତ ଓ ପାକିସ୍ତାନ ସରକାର ପାଇଁ ଜଟିଳ ଥିଲା । ଏନେଇ  ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଥିଲା । ଏହି ନଦୀଗୁଡିକ ତିବ୍ୱଲ ଅଂଚଳରୁ ବାହାରି ଭାରତ ଦେଇ ପାକିସ୍ତାନରେ ପ୍ରବେଶ କରିଛି । ପାକିସ୍ତାନ ଭାଗରେ ନଦୀର ତଳସ୍ତର ପହଂଚୁଥିବାରୁ ପାକିସ୍ତାନର ଚାଷୀ ଏହି ନଦୀମାନଙ୍କର ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି ।

ଏହି ଚୁକ୍ତି ଦ୍ବାରା ସିନ୍ଧୁ, ଝେଲମ ଓ ଚେନାବ ନଦୀର ପାଣି ପାକିସ୍ତାନକୁ ଦିଆଯିବାର ପ୍ରାବଧାନ ରହିଛି । ଏହି ୩ଟି ନଦୀରେ ମୋଟ ୯୯ ଆରବ ଘନ ମିଟର ପାଣି ରହିଛି । ସିନ୍ଧୁନଦୀକୁ ପାକିସ୍ତାନର ଲାଇଫ୍ ଲାଇନ୍‌ କୁହାଯାଏ । ପାକିସ୍ତାନର ପାଖାପାଖି ୨୧ କୋଟିରୁ ଅଧିକ ଲୋକ ସିନ୍ଧୁ ନଦୀ ଉପରେ ନିର୍ଭର କରନ୍ତି । ୮୦ ପ୍ରତିଶତ ଚାଷ ଜମିର ଚାଷୀମାନେ ମଧ୍ୟ ଫସଲ କରିବା ପାଇଁ ସିନ୍ଧୁ ନଦୀ ଉପରେ ନିର୍ଭର କରନ୍ତି ।  ତେବେ ଏହି ସନ୍ଧି ସ୍ଥଗିତ କାରଣରୁ ପାକିସ୍ତାନୀ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯିବ । ଏହା ବ୍ୟତୀତ ସେଠାକାର ପ୍ରମୁଖ ସହର ଗୁଡ଼ିକ ସିନ୍ଧୁ ଏବଂ ତାର ପ୍ରଣାଳୀରେ ଆସୁଥିବା ନଦୀ ଉପରେ ନିର୍ଭର କରିବା ସହ ସେଠାକାର ଦୁଇଟି ବଡ଼ ପାୱାର ପ୍ରୋଜେକ୍ଟ  ମଧ୍ୟ ଏହି ନଦୀର ସାହାୟତାରେ ଚାଲେ । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେବା ଦ୍ୱାରା ପାକିସ୍ତାନରେ ଖାଦ୍ୟ ଉତ୍ପାଦନରେ ସଙ୍କଟ ଦେଖାଦେବ । ଖାଲି ସେତିକି ନୁହେଁ  ବିଜୁଳି ସପ୍ଲାଏ ବନ୍ଦ ହୋଇଯିବ । 

୧୯୬୫ରେ ୨୦ ଦିନଧରି ଚାଲିଥିବା ଭାରତ ପାକସ୍ତାନ ଯୁଦ୍ଧ ହେଉ ବା ୧୯୭୧ ପାକିସ୍ତାନରୁ ବାଙ୍ଗଲାଦେଶ ସୃଷ୍ଟି ହେବା ସମୟରେ ଯୁଦ୍ଧ ହେଉ ସବୁବେଳେ ଭାରତ କଡ଼ା ଜବାବ୍‌ ଦେଇଛି କିନ୍ତୁ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିନାହିଁ । ଏପରିକି ୧୯୯୯ରେ ହୋଇଥିବା କାର୍ଗିଲ ଯୁଦ୍ଧ ଯାହିକି ସବୁଠୁ ବଡ଼ ଯୁଦ୍ଧ ଥିଲା, ଭାରତ ପକ୍ଷରୁ ହୋଇଥିବା ଅପରେସନ୍‌ ବିଜୟରେ ୫୨୭ ଭାରତୀୟ ଯବାନ ସହିଦ୍‌ ହୋଇଥିଲେ । ଏହା ପରେ ହୋଇଥିବା ପୁଲୱାମା ଏବଂ ଉରି ଆକ୍ରମଣ ପରେ ମଧ୍ୟ ଭାରତ ନିଜର ଧୈର୍ଯ୍ୟ ହରାଇ ନଥିଲା କିନ୍ତୁ ଆଉ ସହିବ ନାହିଁ ଭାରତ । ଖୋଲାଖେଲି ଚେତାବନୀ ଦେଇଛନ୍ତି ମୋଦୀ, କହିଛନ୍ତି, ସମୟ ଆସିଗଲା ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାର  ।