କନକ ବ୍ୟୁରୋ : ସଂସଦ ଭବନ ପରିସରରେ ଆଜି ଏକ ରୋଚକ ଦୃଶ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଆସି ପହଁଚିଥିଲେ ତାଙ୍କୁ ଘେରିଯାଇଥିଲେ ବିରୋଧୀ ଦଳ ସାଂସଦ । ଏହି ସମୟରେ ତାଙ୍କ ପାଖକୁ ଆସି ଗୋଲାପ ଫୁଲ ଦେଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯାହାକୁ ରାଜନାଥ ଗ୍ରହଣ ନକରି ଗୃହ ଭିତରୁ ଚାଲିଯାଇଥିଲେ । ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ପରିସରରେ ଏକାଠି ହୋଇଥିଲେ ବିରୋଧୀସାଂସଦ ଓ ଯେଉଁ ଏନଡିଏ ସାଂସଦ ଆସୁଥିଲେ ତାଙ୍କୁ ଗୋଲାପଫୁଲ ଦେଇ ସ୍ବାଗତ କରୁଥିଲେ ରାଜନାଥ ସିଂ ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ରାହୁଲ ଗାନ୍ଧୀ ତୁରନ୍ତ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ସମୟରେ ରାଜନାଥ ସିଂ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା। କିନ୍ତୁ ରାହୁଲ ତାଙ୍କୁ ଗୋଲାପ ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା, ଭାଜପା ନେତା ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ହସୁଥିବା ଦେଖାଯାଇଥିଲା। ବର୍ତ୍ତମାନ ଏହି ଘଟଣାର ପୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।