କନକ ବ୍ୟୁରୋ: ବଦଳିବ ମହାନଦୀର ଚିତ୍ର । ସତ ଲାଗିବ ପ୍ରଖ୍ୟାତ କବି ମାୟାଧର ମାନସିଂହଙ୍କ କବିତା, ମହାନଦୀରେ ଜ୍ୟୋତ୍ସ୍ନା ବିହାରର ପ୍ରତ୍ୟେକ ଶବ୍ଦ l ଏଥିପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି l ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ- ସି ମହାନଦୀ କଣ୍ଡିସନ ଆସେସମେଣ୍ଟ ମ୍ୟାନେଜମେଣ୍ଟ ପ୍ଲାନ l ଏହା ସଫଳ ହେଲେ ମହାନଦୀ ତାର ପୂର୍ବାବସ୍ଥା ଫେରିପାଇବ । 

Advertisment

ଫେରିବ ମହାନଦୀର ରଙ୍ଗ, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ l ମହାନଦୀ ହେବ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ। ଏଥିପାଇଁ ଭାରତ ସରକାର ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି l ଏବେ ମହାନଦୀର ସ୍ଥିତି କଣ ଅଛି ? ଆଗରୁ କଣ ଥିଲା? କଣ ପାଇଁ ସ୍ଥିତି ଆଜି ଏମିତି ? ମହାନଦୀରୁ ଲୋକଙ୍କ ଆଶା କଣ? ମହାନଦୀର ଉପାଦେୟତା ବଢିଛି ନା କମିଛି? ଏସବୁକୁ ସମୀକ୍ଷା କରି ସି- ମହାନଦୀ କଣ୍ଡିସନ ଆସେସମ୍ୟାଣ୍ଟ ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ କରାଯାଉଛି l ଏଥିପାଇଁ ଏନଆଇଟି ରାଉରକେଲା ଓ ନିଟ୍ ରାୟପୁରକୁ ଦିଆଯାଇଛି ଦାୟିତ୍ୱ ।

ଗଙ୍ଗାନଦୀକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଯେମିତି ଉଦ୍ୟମ  ହୋଇଥିଲା, ଠିକ ସେଇ ଢାଞ୍ଚାରେ ମହାନଦୀ ପାଇଁ ମିଶନ ଆରମ୍ଭ ହୋଇଛି l ଏନଆଇଟି ରାଉରକେଲା ଓ ନିଟ୍ ରାୟପୁରର ମିଳିତ ଉଦ୍ୟମରେ ୧୫ ଜଣ ବୈଜ୍ଞାନିକ କାମ କରୁଛନ୍ତି l ହାଇଡ୍ରୋଲୋଜି, ଜିଓମୋରଫୋଲୋଜି ଓ  ମହାନଦୀ ଅବବାହିକାର ସ୍ଥିତି ସମୀକ୍ଷା କରାଯାଉଛି l ୩ ବର୍ଷ ଭିତରେ ମହାନଦୀର ସବୁ ସିଷ୍ଟମକୁ ସ୍କାନିଂ କରି, ଲ୍ୟାଣ୍ଡସ୍କେପ ପ୍ରସ୍ତୁତ ପରେ ଏକ ଫ୍ରେମ ୱାର୍କ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦିଆଯିବ। 

ମହାନଦୀ ଅନ୍ୟ ନଦୀ ତୁଳନାରେ ସମୃଦ୍ଧ l ଏହି ମିଶନ ସଫଳ ହେଲେ ମହାନଦୀର ବହୁ ଲୁକ୍କାୟିତ ତଥ୍ୟ ସାମ୍ନାକୁ ଆସିବାର ଆଶା ରହିଛି l ଓଡିଶା ସହ ଛତିଶଗଡ଼ ମଧ୍ୟ ଲାଭ ପାଇବ l