କନକ ବ୍ୟୁରୋ : କେନ୍ଦୁଝରର ମହାନ ବିପ୍ଳବୀ ଧରଣୀଧର ନାଏକ । ୧୮୯୧ରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ବିରୋଧୀ ପ୍ରଜାମେଳୀର ନେତୃତ୍ବ ନେଇଥିଲେ । ଯାହା ସେ ସମୟରେ, ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ସେହି ବିପ୍ଲବୀଙ୍କ ଜନ୍ମମାଟି ଦୀର୍ଘବର୍ଷ ଧରି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିଲା। କୁସୁମିତା ଗାଁରେ ବିପ୍ଲବୀଙ୍କ ଦାୟାଦ ଭଙ୍ଗା ଦଦରା ଘରେ ଦୁଃଖରେ କାଳ କାଟୁଛନ୍ତି । ଏବେ ସେମାନଙ୍କ ଦୁଃଖ ଦୂର ହେବ। କସୁମିତା ଗାଁରେ ପାର୍କ, ଖେଳ ପଡ଼ିଆ, ସଂଗ୍ରହାଳୟ ଲାଇବ୍ରେରୀ ସହ ଧରଣୀଧରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ।
୧୮୬୪ ମସିହା ମେ' ୫ରେ କେନ୍ଦୁଝର କୁସୁମିତା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଧରଣୀଧର ନାଏକ। ବିପ୍ଳବୀଙ୍କ ନାଁରେ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ ନାମକରଣ କରାଯାଇଛି। କିନ୍ତୁ ବିଡମ୍ବନା ବିପ୍ଳବୀଙ୍କ ଜନ୍ମମାଟି କୁସୁମିତା ଓ ତାଙ୍କ ଦାୟାଦଙ୍କୁ ସମସ୍ତେ ଭୁଲି ଯାଇଥିଲେ। ବର୍ତମାନର ସରକାର ବିପ୍ଲବୀଙ୍କ ଗାଁର ବିକାଶ କଥା ଚିନ୍ତା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫୦କୋଟି ଟଙ୍କା ବ୍ୟୟରେ କୁସୁମିତା ଗାଁର ସାମଗ୍ରିକ ବିକାଶ ପାଇଁ ବ୍ଲୁ-ପ୍ରିଣ୍ଟି ପ୍ରସ୍ତୁତ ହୋଇଛି। ଏହାକୁ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷ ମେ' ମାସ ୫ତାରିଖରେ ବିପ୍ଳବୀ ଧରଣୀଧରଙ୍କ ୧୬୧ତମ ଜନ୍ମ ଜୟନ୍ତୀ ପାଳନ କରାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ଏବେ ଠାରୁ ତତ୍ପର ହୋଇଛି। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।