କନକ ବ୍ୟୁରୋ : ଗୋଟିଏ କିଲୋକୁ କୋଟିଏ ଟଙ୍କା । ରାଜଧାନୀର ଯୁବପିଢ଼ି ଏବେ ଖାଉଛନ୍ତି ହାଇପ୍ରୋଫାଇଲ ନିଶା । ଗଞ୍ଜେଇ, ଚରସ, ଡ୍ରଗ୍ସ, ଏଲ୍ଏସ୍ଡି ପରେ ଏବେ ଛାତ୍ରଛାତ୍ରୀଙ୍କୁ ବାୟା କରିଛି ହାଇଡ୍ରୋପୋନିକ୍- ଉଇଡ୍ ବା ମାରିଜୁଆନା I ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ୩୦ କୋଟିର ମାରିଜୁଆନା ଜବତ ହୋଇଛି । ଏହାପରେ ସାମ୍ନାକୁ ଆସିଛି କୋଟିପତି ନିଶାଡ଼ିଙ୍କ ସଉକ । ଇଣ୍ଡିଗୋ ଫ୍ଲାଇଟ୍ ନମ୍ୱର ସିକ୍ସ-ଏ- ୧୦୬୬ ବିମାନରେ ଆଗ୍ରା ଫତେପୁର ଅଞ୍ଚଳର ରୋହିତ, ଜାନ୍ ମହମ୍ମଦ ଏବଂ ବଣ୍ଟି ନାମକ ଯୁବକ ବ୍ୟାଙ୍କକ୍ରୁ ଭୁବନେଶ୍ୱର ଯାତ୍ରା କରୁଥିଲେ । ମାରିଜୁଆନା ଭର୍ତ୍ତି ବ୍ୟାଗ୍ ନେଇ ଭୁବନେଶ୍ୱର ପହଞ୍ଚିବା ପରେ, ଡିଆର୍ଆଇ ଟିମ୍ ହାତରେ ଧରା ପଡ଼ିଛନ୍ତି । ଏହି ମାରିଜୁଆନା ଦେଖିବାକୁ ଅବିକଳ ଗଞ୍ଜେଇ ଭଳି I ଗଞ୍ଜେଇ କିଲୋ ଭାରତୀୟ ବଜାରରେ ୧୦ ହଜାର ଟଙ୍କା ଥିବା ବେଳେ ମାରିଜୁଆନାର ଦାମ୍ କୋଟିଏ ଟଙ୍କାରୁ ଅଧିକ ।
ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ଏବେ ବି ଲୋକମାନେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଆନ୍ତି ନାହିଁ, ସେହି ରାଜ୍ୟର ଲୋକ ଗୋଟିଏ ବେଳର ନିଶା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରୁଛନ୍ତି I ଗତ ଜାନୁଆରି ମାସରେ ୨୧ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିଲା । ଆଉ ଏବେ ୩୦ କୋଟିର ମାଲ୍ ଜବତ ହୋଇଛି । ପୂର୍ବରୁ ଏହି ରାକେଟ୍ରେ ମହିଳାଙ୍କ ସଂପୃକ୍ତି ଦେଖିବାକୁ ମିଳିଥିଲା । ଏବେ ଉତ୍ତରପ୍ରଦେଶର ଦଲାଲ୍ଙ୍କୁ କାବୁ କରିଛି ତଦନ୍ତକାରୀ ଟିମ୍ ।
ସବୁଠୁ ବଡ଼କଥା ହେଉଛି ବିମାନବନ୍ଦରର ସୁରକ୍ଷା ବଳୟକୁ ଭେଦ କରି ଭୁବନେଶ୍ୱରକୁ କେମିତି ଆସୁଛି ମାରିଜୁଆନା?
- କିଏ ଏହି କୋଟିଏ ଟଙ୍କିଆ ନିଶାଖିଆ ଗରାଖ?
- କେଉଁ ବଡ଼ବଡ଼ିଆଙ୍କ ଚାହିଦା ପାଇଁ ଆସିଥିଲା ୩୦ କୋଟିର ନିଶା?
- ନିଶା ସିଣ୍ଡିକେଟ୍ ପଛର ଗଡ୍ଫାଦର କିଏ?
- ଫସିଗଲେ ନିଶା ବେପାରୀ, ଖସିଗଲେ କି ଗରାଖ?