କନକ ବ୍ୟୁରୋ;  ପୁଣି ଚିନ୍ତା ବଢାଇଲା ଅଜଣା ମୃତ ଦେହ। ସମୟ ଗଡୁଛି, ହେଲେ ପରିଚୟ ମିଳୁନି । ଯୁବକଙ୍କ ମୃତ ଦେହର ସ୍ଥାନେ ସ୍ଥାନେ କ୍ଷତ ଚିହ୍ନ ରହିଛି । ମୁହଁଟିକୁ ଛେଚି ଛେଚି ନଷ୍ଟ କରାଯାଇଛି । ଗତ ସୋମବାର ସନ୍ଧ୍ୟାରେ ମଞ୍ଚଚେଶ୍ୱର ଥାନା ଅଧିନ ରେଳଡବା ମରାମତି କାରଖାନା ଖେଳ ପଡିଆରୁ ମିଳିଥିଲା ଏହି କ୍ଷତାକ୍ତ ମୃତ ଦେହ ।  ପରିଚୟ ଖୋଜି ଖୋଜି ଫେଲ୍ ମାରିବା  ପରେ, ଏବେ ପୋଷ୍ଟର ହିଁ ଭରଷା ।

Advertisment

 ରାଜଧାନୀର ଗଳିକନ୍ଦି ବୁଲି ଫ୍ଲେକ୍ସ ପରେ ଫ୍ଲେକ୍ସ ମାରୁଛି ପୁଲିସ । ଯୁବକଙ୍କ ବୟସ ୧୫୪ ସେଣ୍ଟି ମିଟର ଓ ବୟସ ୨୫ରୁ ୩୦ ବର୍ଷ ଭିତରେ ହେବ। ନୀଳ ରଙ୍ଗର ଫର୍ମାଲ ପ୍ୟାଣ୍ଟ, ଧୁସର ରଙ୍ଗର ବେଲ୍ଟ, କଳା ରଙ୍ଗର ଉଡ୍ସ କମ୍ପାନୀର ଜୋତା, କମଳା ରଙ୍ଗର ରୁମାଲ ଓ ଟ୍ରାକ୍ସନ କମ୍ପାନୀର ହାତ ଘଣ୍ଟା ଜବତ ହୋଇଛି। ମୃତକଙ୍କ ସମ୍ପର୍କରେ ସୁଚନା ଦେଲେ ମିଳିବ ୨୫ ହଜାର ।

ଟଏଲେଟ୍ କ୍ୟାବିନ୍ ପାଖରେ ମୃତ ଦେହଟିକୁ ଫୋପାଡି ତା ଉପରେ ଅଳିଆ ଗଦାଇ ଦେଇଥିଲେ ଦୁବୃର୍ତ। ପୁଲିସର ପ୍ରାଥମିକ ତଦନ୍ତ କହୁଛି ୪ରୁ ୫ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସକୁ ସନ୍ଦେହ ହେବାରୁ ହତ୍ୟାକାଣ୍ଡ ମାମଲା ରୁଜୁ କରିଛି ପୁଲିସ । ୯୬ ଘଣ୍ଟା ପରେ ବି ଯଦି ପରିଚୟ ନ ମିଳେ, ପୁଲିସ ଶବ ସତ୍କାର କରିବ ବୋଲି କହିଛନ୍ତି ଏସିପି । 
ସେପଟେ ମୃତକଙ୍କର ଏହି ପୋଷ୍ଟର ଭାରତରେ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ପଠାଯାଇଛି । ମୃତକ ଜଣକ ଓଡିଶାର ନା ବାହାର ରାଜ୍ୟର ତାହା ସ୍ପଷ୍ଟ ହୋଇନି । କିନ୍ତୁ ମୃତଦେହ ଟି ଖେଳ ପଡିଆ ଭିତରକୁ କେମିତି ଆସିଲା ସେନେଇ ପ୍ରଶ୍ନ ଉଠିଛି। ହାଇ ସିକ୍ୟୁରିଟି କ୍ୟାମେରା ସର୍ଭେଲାନ୍ସରେ ଥିବା ସ୍ମାର୍ଟସିଟିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଛନ୍ତି ରାଜଧାନୀବାସୀ ।