କନକ ବ୍ୟୁରୋ : ଫେବୃଆରୀରୁ ଶୁଖିଗଲାଣି ଇବ୍ ନଦୀ । ମହାନଦୀ ସହିତ ଏହାର ପ୍ରମୁଖ ଉପନଦୀ ଇବ୍ ନଦୀ ପାଣିକୁ ଛତିଶଗଡ଼ ଅଟକାଇ ଦେଇଛି। ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି  କନକ ନ୍ୟୁଜ୍। ସ୍ଥିତି ଏଭଳି ହୋଇଛି ଯେ, ଖରାଦିନ ଆରମ୍ଭ ନହେଉଣୁ ପାଣି ମିଳିବା ମୁସ୍କିଲ ହୋଇପଡ଼ିଛି । ଛତିଶଗଡ଼ ପଟେ ଇବ୍ ନଦୀରେ ପାଣି ଭରି ରହିଥିବା ବେଳେ ଓଡ଼ିଶା ପଟେ ଶୁଖିଲା ପଡ଼ି ମରୁଭୂମି ଭଳି ହୋଇଛି। ଇବ୍ ନଦୀର ଉପରମୁଣ୍ଡ ଗୁଲ୍ଲୁଠାରେ ଛତିଶଗଡ଼ ହାଇଡ୍ରୋପାଓାର ପ୍ରକଳ୍ପ କରି ବିଜୁଳି ଉତ୍ପାଦନ କରୁଥିବା ବେଳେ ବେନେ ଏବଂ ସମଡ଼ମାରେ ଜଳସେଚନ ପ୍ରକଳ୍ପ କରି ଇବ୍ ନଦୀର ପାଣିକୁ ଅଟକାଇ ଦେଇଛି ।

Advertisment

ଯାହାର ପ୍ରଭାବ ପଡ଼ିଛି  ଓଡ଼ିଶାର ଦୁଇ ଜିଲ୍ଲା ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ସହିତ ହୀରାକୁଦ ଜଳଭଣ୍ଡାର ଉପରେ। ଓଡ଼ିଶାକୁ ଆବଶ୍ୟକ ପାଣି ଆସୁନାହିଁ । ଇବ୍ ନଦୀ ପାଣିରେ ସୁନ୍ଦରଗଡ଼ ସହର ଓ ଜିଲ୍ଲାର ୫ ବ୍ଲକ୍ ଏବଂ ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ଶୋଷ ମେଣ୍ଟିବା ସହିତ ଚାଷ ହେଉଥିଲା। ଛତିଶଗଡ଼ ପାଣି ଅଟକାଇ ଦେବା ପରେ ସବୁ ଠପ୍ ହୋଇଯାଇଛି। ପୂର୍ବରୁ କନକ ନ୍ୟୁଜ୍ ଛତିଶଗଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରିଥିଲା। ପୂର୍ବ ସରକାର ଚେତିଲେ ନାହିଁ। ଇବ୍ ନଦୀର କୋପସିଙ୍ଗା ଓ କୁଡ଼ାବଗାଠାରେ ୨୦୨୨ରେ ଆରମ୍ଭ ହୋଇଥିବା ବ୍ୟାରେଜ୍ କାମ ୨୦୨୪ ମାର୍ଚ୍ଚରେ ସରିବା କଥା।  କିନ୍ତୁ ୨୦୨୫ ମାର୍ଚ୍ଚ ମାସ ହେବାକୁ ବସିଲାଣି, କାମ ମାତ୍ର ୨୦ ପ୍ରତିଶତ ହୋଇଛି। ଓଡ଼ିଶା ପଟେ ଇବ୍ ନଦୀରେ ପାଣି ସ୍ୱପ୍ନ ହୋଇଗଲାଣି । ଏବେଠୁ ଲୋକ ଡହଳ ବିକଳ ହେଲେଣି।