କନକ ବ୍ୟୁରୋ : ପାଉଁଶ ତଳୁ ସାଉଁଟା ଚାଲିଛି ସାଇତା ସ୍ମତି । ପିଲାଙ୍କ ପାଇଁ ସାଇତି ରଖିଥିବା ସାମଗ୍ରୀ ଖୋଜୁଛନ୍ତି ଜଣେ ବାପା । କାଳେ ନିଆଁ ଆଁରୁ କିଛି ବର୍ତି ଯାଇଥିବ। ପୋଡ଼ା ସାଇକେଲକୁ ଚଲେଇବାକୁ ଚେଷ୍ଟା କରୁଛି କୁନି ପୁଅ। ଏସବୁ ଦେଖି ଧୈର୍ଯ୍ୟ ରହୁନି। ଛାତି ଫାଟି ଯାଉଛି। ତଥାପି ନିଜ ଲୁହକୁ ନିଜ ଭିତରେ ଲୁଚେଇ, ବାପା ହେବାର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ପୋଡ଼ାଘରୁ ଆଗକୁ ବଢ଼ିବାର ଆଶା ଖୋଜୁଛନ୍ତି ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ପେଗରପଡା ଗାଁର ଜୟଶଙ୍କର ବେହେରା।
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଦୁଇ ବଖରା ଘର ଜଳିଯାଇଛି। ଧାନ, ଚାଉଳ, ଲୁଗାପଟା, ଖଟପଲଙ୍କ, ସୁନା ଗହଣା ଏବଂ ପୋଥି ପୁରାଣ ସବୁ ପାଉଁଶ ହୋଇଯାଇଛି। ଜୟଶଙ୍କର ଜଣେ ଦିନ ମଜୁରିଆ। ମୁଲ ଲାଗି ଯାହା ଆଣନ୍ତି ସେଥିରେ ୫ ପ୍ରାଣୀ କୁଟୁମ୍ବ ଚଳିଯାଆନ୍ତି। ସ୍ୱଳ୍ପ ରୋଜଗାର ହେଲେ ମଧ୍ୟ ନିଜନିଜ ଭିତରେ ସୁଖଦୁଃଖ ବାଂଟି ଆଗକୁ ବଢୁଥିଲେ। ହେଲେ ସର୍ବଗିଳା ନିଆଁ ସବୁ ସାରି ଦେଇଛି। ପିଲା ଛୁଆଙ୍କ ପାଇଁ ଗରିବ ବାପାଟିଏ ସାଇତି ରଖିଥିବା ସମାଗ୍ରୀକୁ ଗିଳି ଦେଇଛି।
ନିଆଁରେ ଘର ସଂପୂର୍ଣ୍ଣ ଜଳିଯିବା ପରେ ଶୀତ କାକରରେ ଭୋକ ଉପାସରେ ରହିଛନ୍ତି ଜୟଶଙ୍କରଙ୍କ ପରିବାର। ଏଭଳି ବିପଦ ସମୟରେ ସହାୟତାର ହାତ ବଢାଇଛନ୍ତି ବିଭିନ୍ୱ ସ୍ୱଚ୍ଛାସେବୀ ସଂଗଠନ। କିଛି ଦିନର ରାଶନ ସାମଗ୍ରୀ ସହିତ ଲୁଗାପଟା, ଶୀତ ବସ୍ତ୍ର ଏବଂ ପଲିଥିନ ପ୍ରଦାନ କରିଛନ୍ତି। ଅନ୍ୟପଟେ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବସ୍ତା ତହସିଲଦାର।
ସର୍ବସ୍ୱାନ୍ତ କରିଦେଲା ସର୍ବଗିଳା ନିଆଁ । ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଛାରଖାର ହୋଇଗଲା ଘର ।
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଛାରଖାର ହୋଇଗଲା ଘର । ପୋଡ଼ା ପାଉଁଶ ହୋଇଗଲା ସାଇତା ସମ୍ପତି ।
/kanak/media/media_files/2025/01/17/ogut1x4akklgj56E6gxk.jpg)