କନକ ବ୍ୟୁରୋ : ସରକାରୀ ନିୟମକୁ ଖାତିର ନାହିଁ । ଘର ପାଖରେ ବେଧଡ଼କ ବେଆଇନ୍ ବ୍ଲାଷ୍ଟିଂ। କଲବଲ କରୁଛନ୍ତି କ୍ରସର ମାଲିକ। ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଘରେ ରହିବାକୁ ଡର ଲାଗୁଛି । ଯେତେ ଜଣାଇଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । କ୍ରସର ମାଲିକଙ୍କ କବ୍ଜାରେ କଳାହାଣ୍ଡିର ଡୋକରୀ ପାହାଡ଼। ଜୟପାଟଣା ଓ କୋକସରା ବ୍ଲକର ସୀମାନ୍ତ କଲବଲ କରୁଛି କ୍ରସର। କମ୍ପ୍ରେସର ବଦଳରେ ବୋରୱେଲ ମଧ୍ୟମରେ ୧୫ରୁ ୨୦ଫୁଟ ଗାତ କରି ବ୍ଲାଷ୍ଟିଂ!ରେ ଛିନଛତ୍ର ହୋଇଯାଉଛି ବିରାଟ ବିରାଟ ପଥର । ପ୍ରଭାବରେ ପାଖଆଖ ଅଞ୍ଚଳରେ ଫାଟି ଯାଉଛି ଘର କାନ୍ଥ ।
କେବଳ ଘର କାନ୍ଥ ଫାଟୁଛି ତା ନୁହେଁ, କ୍ରସରରୁ ଶହଶହ ଚିପ୍ସ ଓ ମେଟାଲ ବୋଝେଇ ହାଇୱା ଚଳାଚଳ ଯୋଗୁଁ ଗାଁ ରାସ୍ତା ଏବେ ମରଣଯନ୍ତା ପାଲଟି ଯାଇଛି। କ୍ରସରର ଧୂଳି ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବା ସହ ଚାଷଜମି ଚାଷ ଉପଯୋଗି ହୋଇ ରହୁନାହିଁ। ଉର୍ବରତା କମିଯାଉଥିବା ଅଭିଯୋଗ ହୋଇଛି । ସରକାରୀ ନୀୟମ ଅନୁସାରେ.. ଜନବସତି ନିକଟରେ କ୍ରସର ୟୁନିଟ ବସିପାରିବ ନାହିଁ। ଡିନାମାଇଟ୍ ଓ ଜିଲୋଟିନ୍ ବ୍ଲାଷ୍ଟିଂ କରି ପାହାଡ଼ରୁ ପଥର ଫଟା ଯିବନାହିଁ ।
କିନ୍ତୁ ଡୋକରୀ ପାହାଡ଼ରେ ସରକାରୀ ନିୟମକୁ ଫୁ କରି ଖଣି ବିଭାଗ ସହ ସଲାସୁତୁରାରେ ଆବଶ୍ୟକତା ଠାରୁ ଅଧିକ ପଥର ଖନନ! କରାଯାଉଛି। ଏଥିରେ କ୍ରସର ମାଲିକ ମାଲାମାଲ ହେଉଥିବା ବେଳେ ରାଜସ୍ବ ହରାଉଛନ୍ତି ସରକାର। ସବୁଠାରୁ ଆଶ୍ଚର୍ଯ୍ୟର କଥା, କେଉଁ ମାଲିକକୁ କେତେ ବର୍ଷ ପାଇଁ କ୍ବାରି ଲିଜ ଦିଆଯାଇଛି? କିଏ କେତେ ପଥର ଫଟେଇ ସାରିଛନ୍ତି? ସରକାରଙ୍କୁ ବାର୍ଷିକ କେତେ ଟଙ୍କା ଦେଉଛନ୍ତି? ତାହାର କୌଣସି ସଠିକ ତଥ୍ୟ କାହା ପାଖରେ ନାହିଁ।