କନକ ବ୍ୟୁରୋ: ଆଁ କରି ମାଡ଼ିଆସୁଛି କୋଇଲା ଖଣି । ଆଉ ମାତ୍ର କେଇ ପାହୁଣ୍ଡ। ତାପରେ ସାରା ଗାଁ ଖଣି ଗର୍ଭରେ ଲୀନ ହୋଇଯିବ । ଏବେ ଖଣି ବିସ୍ଫୋରଣରେ ଥରୁଛି ଘର । କେତେବେଳେ ଛାତ ଉପରୁ ଖସୁଛି ପଥର ଖଣ୍ଡ ତ ଆଉ କେତେବେଳେ ପଥରଖଣ୍ଡ ମାଡ଼ରେ ଆହତ ହେଉଛନ୍ତି ଲୋକେ । ଆଖି ଆଗରେ ମୃତ୍ୟୁର ଭୟ ଥାଇ ବି ଛାଡ଼ି ହେଉନି ଭିଟାମାଟି ।
ଭିଟାମାଟିକୁ ଜାବୁଡ଼ି ଧରି ଜୀବନ ବଞ୍ଚାଇବାକୁ ପ୍ରତିମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି ବିସ୍ଥାପିତ । ଏ ଦୁଃଖ ହେଉଛି ସୁନ୍ଦରଗଡ଼ ଏମ୍ସିଏଲ୍ ଗର୍ଜନବାହାଲ ଖଣି ଅଚଂଳ କରଲିକଚ୍ଛାର ଗାଁର । ଗାଁ ଠାରୁ ଆଉ ମାତ୍ର ୧୦ ମିଟର ଦୂରରେ କୋଇଲା ଖଣି । କେତେବେଳେ ଗାଁ ଭିତରକୁ ଚାଲିଆସିବ ତାହା କହି ହେବନି । ବିସ୍ଫୋରଣରେ ପଥର ଖଣ୍ଡ ଆସି ଘର ଛପର କଣା କରିସାରିଲାଣି ।
ତଥାପି ଥଇଥାନ ଓ ପୁନର୍ବାସର ବ୍ୟବସ୍ଥା କରୁନାହିଁ ଖଣି କମ୍ପାନି । ତେଣୁ ଗାଁରେ ପଡ଼ିରହିଛନ୍ତି ଲୋକେ । ୧୫ ବର୍ଷ ହେଲା ବଞ୍ଚିବା ପାଇଁ କରି ଚାଲିଛନ୍ତି ସଂଘର୍ଷ । ୨୦୧୦ ମସିହାରୁ ଜମି ଅଧିଗ୍ରହଣ କରିସାରିଛି ଏମ୍ସିଏଲ । ଜମି ଓ ଘରର ଟଙ୍କା ବି ମିଳିସାରିଛି ହେଲେ ପୁନର୍ବାସ ଓ ଥଇଥାନ ହୋଇନଥିବାରୁ ଏବେ ପର୍ଯ୍ୟନ୍ତ ଗାଁରେ ପଡ଼ିଛନ୍ତି ୧୬୫ ପରିବାର । ସେପଟେ ପ୍ରଶାସନ କହୁଛି ଅତିଶୀଘ୍ର କରାଯିବ ସମାଧାନ ।