କନକ ବ୍ୟୁରୋ : ଚୋରଙ୍କ ଟାର୍ଗେଟରେ ପୁଲିସ । ରାତି ଅଧରେ ପୁଲିସ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ । ରାଉରକେଲା ସହରରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୧ରେ ରହୁଥିବା ହୋମଗାର୍ଡ ଶ୍ରୀନିବାସ ପ୍ରଧାନଙ୍କ ଘରେ ହୋଇଛି ଏହି ଲୁଟ । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ହୋମଗାର୍ଡଙ୍କ ପତ୍ନୀଙ୍କ ଗୋଡ଼ ହାତ ବାନ୍ଧି ଘରୁ ଲୁଟି ନେଇଥିଲେ ସୁନାଗହଣା । ପାଖାପାଖି ୫୦ହଜାର ଟଙ୍କାର ସୁନାଗହଣା ଚୋରି ହୋଇଥିବା ଅନୁମାନ କରାଯାଉଛି ।
ବଡ଼ କଥା ହେଉଛି, ଘଟଣାଟି ରବିବାର ରାତିରେ ଘଟିଥିଲା । ହେଲେ ଲୁଟ୍ ପୁଲିସ କର୍ମଚାରୀଙ୍କ ଘରେ ହୋଇଥିବାରୁ ଏ ଖବର ବିଳମ୍ବରେ ସାମ୍ନାକୁ ଆସିଛି । ୨ଜଣ ଦୁର୍ବୁତ୍ତ ଘରର ପଛ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ ଓ ମାରଣାସ୍ତ୍ର ଦେଖାଇ ମହିଳାଙ୍କ ହାତ ଗୋଡକୁ ବାନ୍ଧିଦେଇଥିଲେ ପରେ ମହିଳା ପିନ୍ଧିଥିବା ସମସ୍ତ ସୁନା ଗହଣା ଚୋରି କରି ନେଇଥିଲେ । ହୋମଗାର୍ଡ ଶ୍ରୀନିବାସ ଘଟଣା ବିଷୟରେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ ।
ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ହାତ ଗୋଡ ବନ୍ଧା ଅବସ୍ଥାରେ ପଡିରହିଥିବା ମହିଳାଙ୍କୁ ଉଦ୍ଧାର କରିଥିଲା । ସେକ୍ଟର-୩ ପୁଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି । ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୀଡ଼ିତା ଠାରୁ ମଧ୍ୟ କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।