କନକ ବ୍ୟୁରୋ: ପଡୋଶୀ ବାଂଲାଦେଶ ପାଇଁ ସଙ୍କଟ ପିଛା ଛାଡିବାର ନାଁ ନେଉନାହିଁ । ଦେଶରେ ବିଦ୍ରୋହ ପରେ ନୂଆ ନୂଆ କଟକଣା ଜାରି ହେବାରେ ଲାଗିଛି । ସଂଖ୍ୟାଲଘୁଙ୍କ ଆକ୍ରମଣ ଘଟଣା ଭିତରେ ଏକ ନୂଆ କାରନାମା କରିଛନ୍ତି ବାଂଲାଦେଶର ୟୁନୁସ ସରକାର । ଦେଶର ଇତିହାସକୁ ବଦଳାଇବା ପାଇଁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର । ଏବେ ସ୍କୁଲ ପିଲା ପଢିବେ ନୂଆ ଇତିହାସ । ଯେମିତି କି ବଦଳିବ ‘ବାଂଲାଦେଶ’ ଗଠନର ଇତିହାସ ।

Advertisment

୧୯୭୧ରେ ବାଂଲାଦେଶ ଗଠନର ଇତିହାସ ବଦଳିବ । ନୂଆ ଇତିହାସ ବହି ଲେଖୁଛନ୍ତି ୟୁନୁସ ସରକାର । ବହିରେ ଇତିହାସକୁ ନେଇ ଲେଖାଯାଇଛି ଡାହା ମିଛ । ମୁଜିବୁର ରହମାନଙ୍କୁ ନେଇ ଥିବା ଇତିହାସ ବଦଳାଯାଇଛି । ବହିରେ ଲେଖାଅଛି, ଜିଆଉର ରହମାନ ଦେଇଥିଲେ ଦେଶକୁ ସ୍ବାଧୀନତା।  ଦେଶର ବିଭିନ୍ନ ଘଟଣାକ୍ରମର ଇତିହାସ ବି ବଦଳାଯାଉଛି । ପ୍ରାଇମେରୀ ସ୍କୁଲରେ ପଢାଯିବ ମିଛ ଇତିହାସର ନୂଆ ବହି । ବାଂଲାଦେଶ ଟଙ୍କାରୁ ବି ହଟିବ ମୁଜିବୁର ରହମାନଙ୍କ ଫଟୋ  । 

ବାଂଲାଦେଶରେ ବିଦ୍ରୋହ ପରେ ଦେଶରେ ଜାରି ରହିଛି ଅନ୍ତରୀଣ ସରକାରଙ୍କ ଶାସନ । ଏହାରି ଭିତରେ ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢିବାରେ ଲଗାଛି । ଏବେ ସରକାରଙ୍କ ଦ୍ବାରା ଦେଶ ନିର୍ମାଣର ଇତିହାସ ବଦଳାଇବା ପ୍ରୟାସ ଆରମ୍ଭ ହୋଇଯାଇଛି । ଯାହା ପଡୋଶୀ ବାଂଲାଦେଶରେ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଠିଆ କରିଦେଇଛି ।