କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମକୁ ନେଇ ଆସିଲା ବଡ ଖବର । ଶୁକ୍ରବାର ଆଶ୍ରମ ଉଚ୍ଛେଦ ନେଇ ଖବର ପ୍ରକାଶ ପାଇବା ପରେ, ଏବେ ଏହା ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଅର୍ଥାତ ଆସନ୍ତାକାଲି ଭାଙ୍ଗିବନି ଏହି ବହୁଚର୍ଚ୍ଚିତ ଆଶ୍ରମ । ଆସନ୍ତା ଡିସେମ୍ବର ୧୨ ତାରିଖ ଯାଏଁ ଆଶ୍ରମକୁ ସୁରକ୍ଷା ଦିଆଯାଇଛି । ଆଶ୍ରମ ଭାଙ୍ଗିବା ଉପରେ ଏହି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । 

Advertisment

ସୂଚନାଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମ ଉପରେ ଆସନ୍ତାକାଲି ବୁଲଡୋଜର ଚାଲିବା ନେଇ ବିଡିଏ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାସହ ଆଶ୍ରମ ଭିତରେ ଥିବା ଜିନିଷପତ୍ର ବାହାର କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଥିଲା । ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଏହା ଭଙ୍ଗାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । 

ତେବେ ନିଜ ପୁଅକୁ କଳକୀ ଅବତାରରେ ସଜାଇ ବାବା ବିବାଦକୁ ଆସିଥିଲେ । ଭୁବନେଶ୍ୱର ଖଣ୍ଡଗିରିର ବାରିରେ ରହିଛି କାଶୀନାଥ ବାବାଙ୍କର ବୈକୁଣ୍ଠ ଧାମ । ବିବାଦକୁ ଆସିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।