Helpless Photograph: (kanak news)
କନକ ବ୍ୟୁରୋ : ସରକାରୀ ଅବହେଳାରୁ ଅଭିଶପ୍ତ ଜୀବନ । କୁଷ୍ଠ ରୋଗ ଯେତିକି ଯନ୍ତ୍ରଣା ଦେଉଛି, ତାଠୁ ଢେର ଅଧିକ କଷ୍ଟ ଦେଉଛି ପ୍ରାଶାସନିକ ଅବ୍ୟବସ୍ଥା । ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେତେ ଯୋଜନା । ସ୍ୱାସ୍ଥ୍ୟ ବଜେଟ୍ ବି କିଛି କମ୍ ନୁହେଁ। ହେଲେ ସବୁ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ । ବୟସ ୬୦ ଛୁଇଁନାହିଁ, ହେଲେ ଠିଆ ହେବାକୁ ଦେହରେ ବଳ ନାହିଁ । ୬ ବର୍ଷ ହେବ, କୁଷ୍ଠ ରୋଗରେ ପୀଡ଼ିତ ହୋଇ ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଉବଣୀ ଗାଁର ସନ୍ନ୍ୟାସୀ ଦଳାଇ । ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଘରେ ଅକର୍ମଣ୍ୟ ଜୀବନ କାଟୁଛନ୍ତି । ଧୀରେଧୀରେ ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଗଲାଣି ।
ସନ୍ନ୍ୟାସୀ କୁଷ୍ଠ ରୋଗରେ ପୀଡ଼ିତ ହେବା ପରେ କଟକ ବଡ଼ ମେଡିକାଲ ଯାଇ ଚିକିତ୍ସିତ ହେଉଥିଲେ । ୨୦୨୧ରୁ ସଂପୂର୍ଣ୍ଣ ଭିନ୍ନକ୍ଷମ ହୋଇଯିବା ପରେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିଛି । କିନ୍ତୁ ଭିନ୍ନକ୍ଷମ ଭତ୍ତା କିମ୍ବା ଟ୍ରାଇ ସାଇକେଲ ଖଣ୍ଡେ ଆଜି ଯାଏଁ ମିଳିପାରି ନାହିଁ । ତେଣୁ ଗୁରୁଣ୍ଡି ଗୁରୁଣ୍ଡି ଚଳପ୍ରଚଳ କରିବା ଛଡ଼ା ବିକଳ୍ପ ନାହିଁ ।
ଅଧିକ ପଢ଼ନ୍ତୁ---ସରୁଛି ଟୋକନ ଅବଧି, ଉଠୁନି ଧାନ ; ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଚାଷୀ
ସନ୍ୟାସୀ ରୋଗାକ୍ରାନ୍ତ ହେବା ପରେ ପରିବାର ଚଳାଇବା ପାଇଁ ମାନସିକ ବିକାରଗ୍ରସ୍ତ ପୁଅ ହିଁ ଏକମାତ୍ର ଭରସା। ପରିବାରରେ ୬ ଜଣ ସଦସ୍ୟ ଥିଲେ ବି ସରକାରୀ ଯୋଜନାରେ ୩ ଜଣଙ୍କୁ ୧୫ କେଜି ଚାଉଳ ମିଳୁଛି। ପୁଅ-ବୋହୂ ପରଘରେ ମୂଲ ଲାଗି ଯାହା ଆଣୁଛନ୍ତି ସେଥିରେ ମଧ୍ୟ ଘର ଚାଳିବାରେ ନିଅଣ୍ଟ ହେଉଛି। ଯେଉଁଠି ଗଣ୍ଡାଏ ଖାଇ ଦଣ୍ଡେ ବଞ୍ଚିବା ପାଇଁ ସଂଘର୍ଷ ଚାଲିଛି, ସେଠି ଉନ୍ନତ ଚିକିତ୍ସା କଥା ଚିନ୍ତା କରିବ କିଏ? ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅନେକ ସରକାରୀ ଯୋଜନା ଅଛି । ହେଲେ ସରକାରୀ ସୁବିଧା ଯଦି ପହଞ୍ଚୁଥାଆନ୍ତା ତେବେ ସନ୍ନ୍ୟାସୀଙ୍କ ଭଳି ଦୁଃଖୀଙ୍କ କାହାଣୀ ସାମନାକୁ ଆସନ୍ତା ନାହିଁ । ବାଲେଶ୍ୱରରୁ ଆସିଥିବା ଏହି ଦୁଃଖଦ କାହାଣୀ ଦେଖୁଥିବା ପ୍ରତି ମଣିଷଙ୍କ ମନକୁ ଆସୁଛି, କାହା ପାଇଁ ସରକାରୀ ଯୋଜନା ।
Follow Us