କନକ ବ୍ୟୁରୋ: ଏପ୍ରିଲ୍‌ରୁ  କଲବଲ କଲାଣି ତାତି । ନା ଘରେ ରହିହେଉଛି ନା ବାହାରକୁ ବାହାରି ହେଉଛି । ଡହ ଡହ ନିଆଁରେ ସନ୍ତୁଳିତ ହେଉଛନ୍ତି ଓଡ଼ିଶା ବାସୀ । ଘରେ ଜଳୁଛନ୍ତି ବାହାରେ ବି । ପାଣି ଟାଙ୍କି ବି ତାତିକି ନିଆଁ । ଯାହାଦ୍ବାରା ଟ୍ୟାପ୍‌ ରୁ ପାଣି  ପିଇବା ମଧ୍ୟ କଷ୍ଟଦାୟକ । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ  ହୋଇପଡୁଛି ।  ଏହି  କିଛି ଦିନ ହେବ ତାତିର ପ୍ରକୋପ ବଢିବାରେ ଲାଗିଛି । ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ତେବେ ବଢୁଥିବା ତାପମାତ୍ରାକୁ ନେଇ ଲୋକଙ୍କ ମନରେ ଅଂଶୁଘାତର ଭୟ । ତେଣୁ ଆସନ୍ତୁ ଜାଣିବା ଅଂଶୁଘାତ କଣ? ଏହାର ଲକ୍ଷଣ ଏବଂ ଅଂଶୁଘାତ ହେଲେ କଣ କରିବେ ? ଖରା ଦିନ ଆସିଲେ ଅଂଶୁଘାତର ଡର ଘନେଇଥାଏ । ସାଧାରଣ ଭାଷାରେ ହିଟ୍ ଷ୍ଟ୍ରୋକ୍‌କୁ ଅଂଶୁଘାତ ବୋଲି କୁହାଯାଏ । ଏହି ସମୟରେ ଲୋକଙ୍କୁ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍ ହୁଏ । ହିଟ୍ ଷ୍ଟ୍ରୋକ୍ ହେବାର ୧୦ରୁ ୧୫ ମିନିଟ୍ ମଧ୍ୟରେ ଯଦି ଜଣେ ବ୍ୟକ୍ତିର ଶରୀର ସାଧାରଣ ତାପାମାତ୍ରାକୁ ନ ଆସେ ତେବେ ମୃତ୍ୟୁବରଣ ହେବାର ସମ୍ଭାବନା ଥାଏ । 

Advertisment

ହିଟ୍ ଷ୍ଟ୍ରୋକ୍‌ର ଲକ୍ଷଣ: 
ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଜ୍ୱର, ବାନ୍ତି , ଚର୍ମର ନାଲି ପଡିବା ହାର୍ଟ ବିଟ୍ ବଢିଯିବା  ପରି  ସମସ୍ୟା ଦେଖାଦେଇଥାଏ । ହିଟ୍ ଷ୍ଟ୍ରୋକ୍ ଅନେକ ଗମ୍ଭୀର ଅବସ୍ଥାକୁ ନେଇପାରେ। ଡିହାଇଡ୍ରେସନ୍, ଥକ୍କାପଣ, ଝାଡ଼ା, ବାନ୍ତି ଏବଂ ଶରୀରର କଷ୍ଟ ସାଧାରଣ, କିନ୍ତୁ ହିଟ୍ ଷ୍ଟ୍ରୋକ୍‌ ଏକ ଗୁରୁତର ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି ଯାହା ତୁରନ୍ତ ଚିକିତ୍ସା କରା ନ ଗଲେ ସାଂଘାତିକ ହୋଇପାରେ। 
 
ହିଟ୍ ଷ୍ଟ୍ରୋକ୍‌ରୁ କିପରି ରକ୍ଷା ପାଇବେ ? 
 
ନିଜକୁ ହାଇଡ୍ରେଟ୍ ରଖନ୍ତୁ ବା ସଠିକ୍ ମାତ୍ରାରେ ପାଣି ପିଅନ୍ତୁ,
ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ ,
ଘରୁ ବାହାରକୁ ଯିବାବେଳେ ଚଷମା, ଛତା କିମ୍ବା କ୍ୟାପ୍, ଜୋତା କିମ୍ବା ଚପଲ ବ୍ୟବହାର କରନ୍ତୁ ।
ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।
ମଦ, ଚା, କଫି ଏବଂ କୋଲ୍ଡ ପାନୀୟର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଏଗୁଡିକ ଡିହାଇଡ୍ରେସନ୍ ସୃଷ୍ଟି କରେ ।
ଛୋଟ ପିଲାମାନଙ୍କୁ କିମ୍ବା ଗୃହପାଳିତ ପଶୁମାନଙ୍କୁ ବନ୍ଦ ଗାଡିରେ ଛାଡନ୍ତୁ ନାହିଁ , ଆଉ ଯଦି ଛାଡୁଛନ୍ତି ସେଥିରେ ଏସି ଥିବା ଦରକାର ।
ଯଦି ଆପଣ ଦୁର୍ବଳ କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି, ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ।
ଦହି, ପଇଡ, ଲେମ୍ବୁ ରସ, ତୋରାଣି ପାଣି, ଖାଲି ପାଣି ଆଦି ଉପଯୁକ୍ତ ମାତ୍ରାରେ ପିଅନ୍ତୁ । ଏହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ ।
ପଶୁମାନଙ୍କୁ ଛାଇରେ ରଖନ୍ତୁ ଏବଂ ସେମାନଙ୍କୁ ପିଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଦିଅନ୍ତୁ ।
ଘରକୁ ଥଣ୍ଡା ରଖନ୍ତୁ । 

ଖରାଦିନେ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିଥାଏ । ଆସନ୍ତୁ ଜାଣିବା    

ଡିହାଇଡ୍ରେସନ 
ଶରୀରରେ ଜଳୀୟ ଅଂଶ ଅଭାବ ହୋଇ ଡିହାଇଡ୍ରେସନ ହୋଇପାରେ । ଏପରି ହେଲେ ମୁଣ୍ଡ ବୁଲାଇବା, କ୍ଲାନ୍ତପଣ, ମୁଣ୍ଡବ୍ୟଥା ପରି ସମସ୍ୟା ହୋଇଥାଏ । ଦିନକୁ ଅତି କମ୍‌ରେ ୮ରୁ ୧୦ଗ୍ଲାସ୍ ପାଣି ପିଅନ୍ତୁ । ଫଳରସ, ଲସି, ଘୋଳଦହି ପିଇପାରିବେ । 

ଫୁଡ୍ ପଏଜନିଂ :
ଖରାଦିନେ ଖାଦ୍ୟ ଶୀଘ୍ର ବାସି ହୋଇଯାଏ । ତେଣୁ ବାସି ଖାଦ୍ୟ ଖାଇବା ତଥା ଖରାପ ପାଣି ପିଇବା ଯୋଗୁଁ ଫୁଡ୍ ପଏଜନ୍ ହୋଇପାରେ । ଏଭଳି ହେଲେ ଶରୀରରେ ଯନ୍ତ୍ରଣା, ଦୁର୍ବଳତା, ଜ୍ୱର, ବାନ୍ତି , ଡାଇରିଆ, ମୁଣ୍ଡବ୍ୟଥା ଆଦି ହୋଇପାରେ । ବାହାରର ଛଣାଛଣି ଖାଦ୍ୟ ନଖାଇ ଘରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ଏବଂ ଶୁଦ୍ଧ ପାଣି ପିଅନ୍ତୁ ।

ଜଣ୍ଡିସ୍
ଖରାଦିନେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଅପରିଷ୍କାର ପାଣି ପିଇବା ତଥା ଭାଇରାଲ ଇନ୍‌ଫେକସନ କାରଣରୁ ଜଣ୍ଡିସ୍ ହୋଇପାରେ । ଏଭଳି ହେଲେ ନଖ,ମୂତ୍ର,ଚର୍ମ ଏବଂ ଆଖି ହଳଦିଆ ପଡିଯାଏ । ବାହାର ଖାଦ୍ୟ ଖାଆନ୍ତୁ ନାହିଁ, ପରିଷ୍କାର ପାଣି ପିଇବା ସହ ସ୍ୱଚ୍ଛ ରହିବା ଉଚିତ୍ ।

ଟାଇଫଏଡ୍:
ଖରାଦିନେ ଭାଇରାଲ୍ ଇନ୍‌ଫେକସନ କିମ୍ବା ଅସ୍ୱଚ୍ଛ ପାଣି କାରଣରୁ ଟାଇଫଏଡ୍ ହୋଇପାରେ । ବାହାର ପାଣି ଓ ଖାଦ୍ୟ ଠାରୁ ଦୂରେଇ ରହିବା ସହିତ ଭଲଭାବେ ହାତ ସଫା କରି ଖାଦ୍ୟ ଗ୍ରହଣ କରନ୍ତୁ ।