କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ଜଳିଲାଣି ଜଙ୍ଗଲ । ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା । ସବୁଆଡ଼େ ଜଙ୍ଗଲ ଜଳୁଛି । ବୌଦ୍ଧ ହରଭଙ୍ଗା ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ । କାଲି ଠାରୁ ଲାଗିଥିବା ନିଆଁ ସାରା ଜଙ୍ଗଲକୁ ବ୍ୟାପି ଯାଇଛି । ସେପଟେ ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ଭେଜିପୁଟ ନିକଟରେ ଥିବା ଷଣ୍ଢ ଚୁଳିଆ ପାହାଡ଼ ଜଳୁଛି । ତିନି ଦିନ ହେଲାଣି ନିଆଁ ଲାଗିଲାଣି କିନ୍ତୁ ବନବିଭାଗ ପହଞ୍ଚିପାରିନି କିମ୍ବା କିଛି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ନିଆଁକୁ ଆୟତ କରିବାକୁ ଗାଁ ଲୋକେ ପ୍ରୟାସ କରୁଥିଲେ ବି ସଫଳ ହେଉନାହାନ୍ତି । ପାହାଡର ପାଦଦେଶରୁ ନିଆଁ ଲାଗି ଏବେ ଶୀର୍ଷରେ ପହଁଚିଲାଣି । ପ୍ରାୟ ୫ କିଲୋମିଟର ରୁ ଅଧିକ ସ୍ଥାନରେ ନିଆଁ ବ୍ୟାପିଲାଣି। ସେପଟେ ରେଢାଖୋଲ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି ।
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଲଣ୍ଡାକୋଟ, ହାତୀଧରା, ଖୋଲଗଡ, ରାଇଲ, ସୁହାଣୀ, ଟାଲ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ପାହାଡରେ ୨ଦିନ ହେଲା ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁ ଲାଗିବା ଫଳରେ ଜଙ୍ଗଲ ଗୁଡିକରେ ଛୋଟ ବଡ଼ ଗଛ ସବୁ ଜଳି ଯାଉଛି I ବଡ଼ବଡ଼ ଶାଳ, ପିଆଶାଳ ଗଛ ତଳେ ଥିବା ଛୋଟଛୋଟ ଗଛ ସବୁ ଧ୍ୱଂସ ହେଉଛି । ଜଙ୍ଗଲ ନିଆଁ ପାହାଡର ଶିଖରରେ ପହଂଚିଛି I ଯାହା ଦ୍ୱାରା ଜଙ୍ଗଲରେ ରହିଥିବା ବନ୍ୟ ଜନ୍ତୁ ଏବଂ ପଶୁ ପକ୍ଷୀଙ୍କ ପାଇଁ ବିପଦ ବଢ଼ିଛି । ଜଙ୍ଗଲ ନିକଟ ରାସ୍ତା ଘାଟ ଧୂଆଁମୟ ହୋଇଛି । ରସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀମାନେ ଧୂଆଁ ପାଇଁ ଅତିଷ୍ଟ ହୋଇ ପଡିଲେଣି । ମହୁଲଫୁଲ, କେନ୍ଦୁ ଗଛ ସଂଗ୍ରହ ପାଇଁ କିଛି ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସନ୍ଦେହ କରାଯାଉଛି । ଏହାକୁ ରୋକିବା ପାଇଁ ବନବିଭାଗ ଲୋକମାନଙ୍କୁ ସଚେତନ କରାଇବା ସହ ସଜାଗ୍ ରହିବା ଦରକାର ବୋଲି କୁହାଯାଉଛି ।