କନକ ବ୍ୟୁରୋ : ଆଜି କ୍ଲାଇମାକ୍ସ, କାଲି ଫିଲ୍ମ । ଠପ୍ ହୋଇଯିବ ପୂରା ସ୍ବାସ୍ଥ୍ୟ ବ୍ୟବସ୍ଥା । ଥରେ ଭାବନ୍ତୁ,  ହସ୍ପିଟାଲର ଏର୍ମଜେନ୍ସି ୱାର୍ଡକୁ ଯାଇଥିବେ ଇଞ୍ଜେକସନ ଦେବାକୁ କେହି ନଥିବେ, ହସ୍ପିଟାଲ ବେଡରେ ଗର୍ଭ ଯନ୍ତ୍ରଣାରେ ମହିଳା ଛଟପଟ ହେଉଥିବେ କିନ୍ତୁ ପାଖରେ ସମ୍ଭାଳିବାକୁ ନର୍ସ ନଥିବେ । ଆଇସିୟୁ ବେଡରେ ସାଲାଇନ  ଦେବାକୁ ବାରମ୍ବାର ନେହୁରା ହେବାକୁ ପଡୁଥିବ କିନ୍ତୁ ଶୁଣିବା ପାଇଁ ନର୍ସିଂ ଅଫିସର ନଥିବେ । ଏଭଳି ସ୍ଥିତି ଉପୁଜିଲେ ଆପଣ କରିବେ କଣ? ରାତି ପାହିଲେ ଠିକ୍ ସେହିଭଳି ଅଭାବନୀୟ ସ୍ଥିତି ଓଡ଼ିଶାର ସମସ୍ତ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିପାରେ । କାରଣ ସରକାରଙ୍କ ସହ ଆଲୋଚନା ନହେବା କାରଣରୁ ସିରିଞ୍ଜ ଛାଡ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି ନର୍ସିଂ ଅଫିସର ।  

Advertisment

୧୦ ଦଫା ଦାବି ନେଇ ଦୀର୍ଘଦିନ ହେବ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର ।  ଏସମା ଲାଗୁ ହେବା ସତ୍ତ୍ବେ ମଧ୍ୟ ଶୁକ୍ରବାର କାର୍ୟ୍ୟବନ୍ଦ କରିବାକୁ ଚରମ ନିଷ୍ପତ୍ତି ନେଇଛି ନର୍ସିଂ ଅଫିସର ସଂଘ । ଯାହାଦ୍ବାରା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଭୟଙ୍କର ପ୍ରଭାବିତ ହୋଇପାରେ । ଅନ୍ୟପଟେ ଆନ୍ଦୋଳନ ପାଇଁ ସୃଷ୍ଟି ହେବାକୁ ଥିବା ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥାରେ ରୋଗୀ ସେବା ଯୋଗାଇବାକୁ ସରକାର ବି ପ୍ରସ୍ତୁତ । 

ମୋହନ ସରକାରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ଆଣିଛନ୍ତି ସରକାରୀ କର୍ମଚାରୀ । ରାଜ୍ୟର ଆନ୍ଦୋଳନରତ ୧୫ ହଜାର ନର୍ସଙ୍କ ଦାବିକୁ ମାନିବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ଦେଖାଯିବାକୁ ଥିବା ଉତ୍କଟ ସଙ୍କଟକୁ ପ୍ରତିହତ କରିବା ମୋହନ ସରକାରର ପ୍ରଶାସନିକ ଦକ୍ଷତାର ପ୍ରମାଣ ଦେବ ।