କନକ ବ୍ୟୁରୋ : ହସ୍ପିଟାଲରେ ନାହିଁ ପର୍ଯ୍ୟାପ୍ତ ବେଡ଼ । ତେଣୁ ପ୍ରସୂତୀ ୱାର୍ଡରେ ତଳେ ଶୋଇ ରହିଛନ୍ତି ମହିଳା । କୋଳରେ ଧରିଛନ୍ତି ନବଜାତ ଶିଶୁ । ସେପଟେ ପରୀକ୍ଷାଗାର ଆଗରେ ନାହିଁ ନଥିବା ଭିଡ । ଘଣ୍ଟାଘଣ୍ଟା ଅପେକ୍ଷା ପରେ ପଡୁଛି ନମ୍ବର । ଦିବ୍ୟାଙ୍ଗ, ବୟସ୍କ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ନିର୍ମାଣ ହେଇଥିବା ଟିକେଟ କାଉଣ୍ଟର ଅଳିଆ ଆବର୍ଜନାର ଠିକଣା ପାଲଟିଛି । ହସ୍ପିଟାଲ ବାହାରେ ବି ସମାନ ଅବସ୍ଥା ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ବୌଦ୍ଧ ଜିଲ୍ଲା ସମେତ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଲୋକ ନିର୍ଭର କରନ୍ତି । କିନ୍ତୁ ଚିକିତ୍ସାଳୟରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲିପଡ଼ିଛି । ବିଶେଷଜ୍ଞ ଡାକ୍ତରଙ୍କ କଥା ନ କହିବା ଭଲ । ହାତ ଗଣତି କିଛି ବିଶେଷଜ୍ଞଙ୍କୁ ନେଇ ଚାଲିଛି ଜିଲ୍ଲା ଚିକିତ୍ସା ସେବା । କୌଣସି ଗୁରୁତର ରୋଗୀ ଆସିଲେ ତାଙ୍କୁ ବୁର୍ଲା କି ବଲାଙ୍ଗୀର ରେଫ କରାଯାଉଛି ।
ବୌଦ୍ଧର ପୁରାତନ ଜେଲ ନିକଟରେ ନିର୍ମାଣ ଚାଲିଛି ୩ ଶହ ଶଯ୍ୟା ବିଶିଷ୍ଟ ନୂଆ ଡାକ୍ତରଖାନା । ବାହାରୁ ଦେଖି ଭାବୁଥିବେ ହସ୍ପିଟାଲ ନିର୍ମାଣ ସରିଛି, କେବଳ ଉଦଘାଟନ୍ ବାକି ଅଛି । କିନ୍ତୁ ଆପଣ ଭୁଲ ଭାବୁଛନ୍ତି । ୨୦୨୦-୨୧ରୁ ୧୧୮.୨୭ କୋଟି ବ୍ୟୟରେ ହସ୍ପିଟାଲ ନିର୍ମାଣ କାର୍ୟ୍ୟ ହାତକୁ ନେଇଛି ଘରୋଇ ଠିକାସଂସ୍ଥା । ୨୦୨୩ ଡିସେମ୍ୱର ୩୧ ତାରିଖ ସୁଦ୍ଧା କାର୍ୟ୍ୟ ସାରିବା ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା । କିନ୍ତୁ ୨୦୨୪ ଅକ୍ଟୋବର ସରିବାକୁ ବସିଲାଣି କିନ୍ତୁ ସରିନି ନିର୍ମାଣ । କେଉଁଠି ନିଅଁ ଖୋଳା ଚାଲିଛି ତ ଆଉ କେଉଁଠି ଘର ତିଆରି ସାରଞ୍ଜାମ ଗଦା ହୋଇରହିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ରାସ୍ତା ଓ କୋଠାବାଡ଼ି ବିଭାଗ ବାରମ୍ବାର ନକ୍ସା ପରିବର୍ତ୍ତନ କରୁଥିବାରୁ ନିର୍ମାଣ ବିଳମ୍ବ ଦେଉଥିବା ଠିକାସଂସ୍ଥାର ଅଧିକାରୀ କହିଛନ୍ତି ।