କନକ ବ୍ୟୁରୋ : ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା କାର । ଦୁର୍ଘଟଣାରେ ନାବାଳକ ସମେତ ୩ ଜଣ ଗୁରୁତର । ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟରେ ଦୁର୍ଘଟଣା ପରେ କାରରୁ ବନ୍ଧୁକ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗତକାଲି ବିଳମ୍ବିତ ରାତିରେ ଏକ ଫର୍ଚୁନର କାର ସୁବର୍ଣ୍ଣପୁର ପଟୁ ସମ୍ବଲପୁରକୁ ଦ୍ରୁତ ଗତିରେ ଯାଉଥିଲା । ଉଲୁଣ୍ଡା ଥାନା ନିକଟସ୍ଥ ମାଟିଖାଇ ନୂଆବସ୍ତି ଠାରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା l ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯିବା ସହ କାରଟି ଓଲଟି ପଡ଼ି ଚୁରମାର ହୋଇଯାଇଥିଲା l 

Advertisment

ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । କାର ଭିତରେ ଥିବା ନାବାଳକ ସମେତ ତିନି ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି । ଆହତବ୍ୟକ୍ତିମାନେ ସମ୍ୱଲପୁର ସହରର ବୋଲି ଜଣା ପଡ଼ିଛି । ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ କାରରୁ ଏକ ବନ୍ଧୁକ ଏବଂ କିଛି ଗୁଳି  ଜବତ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।