କନକ ବ୍ୟୁରୋ: ରଥଯାତ୍ରା ସରୁ ସରୁ ଆସନ୍ତାବର୍ଷର ବିଶୃଙ୍ଖଳା ରୋକିବାକୁ ଏବେଠୁ ସଜବାଜ। ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଆସନ୍ତାବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କରାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି ।
ଗତ ମାସରେ ସରିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତେବେ ଏଥର ରଥଯାତ୍ରା ସମୟରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଗନ୍ନାଥ ପ୍ରେମୀ କ୍ଷୁବ୍ଧ ହୋଇଥିଲେ । ସରକାରଙ୍କ ଅପାରଗତାକୁ ଦାୟୀ କରିଥିଲେ ବିରୋଧୀ । ଉନ୍ନୟନ କମିଶନର ଅନୁ ଗର୍ଗ ତଦନ୍ତ କରି ମାସେ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ତେଣୁ ଏହି ଭୁଲ୍ କିପରି ଆଉ ନହେବ, ସେଥିପାଇଁ ଏବେଠୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।