କନକବ୍ୟୁରୋ : ହାତରେ ଗୋଟିଏ ହାତରେ ସାଲାଇନ୍ ଲାଗିଛି । ଆର ହାତରେ ରୋଗୀଙ୍କ ପାଇଁ ଔଷଧ ଲେଖା ଚାଲିଛି। ଏହାକୁ ହିଁ ତ କୁହାଯାଏ,  ମାନବ ସେବା । ଏହାକୁ ହିଁ କୁହାଯାଏ ନିଜ ପେଶାକୁ ଭଲ ପାଇବା। ଡାକ୍ତର ହେବ ତ ଏମିତି  ।   ପୂର୍ବରୁ ପ୍ରାୟ ସମସ୍ତ ଡାକ୍ତର ଓମ୍‌କାର ହୋତାଙ୍କ କଥା ଶୁଣିଛନ୍ତି  ।   ଦୁର୍ଗମ ଅଂଚଳରେ ତାଙ୍କ ସେବାକୁ ନେଇ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି ।  ଆଉ ଏବେ ଗଜପତି ଜିଲ୍ଲା ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଏହି ଦୃଶ୍ୟ,  ଆଉ ଜଣେ କର୍ତବ୍ୟ ପରାୟଣ ଡାକ୍ତରଙ୍କ ମହାନତାକୁ ଦର୍ଶାଉଛି । ଡାକ୍ତର ବ୍ରଜରାଜ କର ।

Advertisment

ସ୍ବାସ୍ଥ୍ୟ କେନ୍ଦ୍ରର ଏକମାତ୍ର ଡାକ୍ତର। ଏବେ ସେ ନିଜେ ଅସୁସ୍ଥ। ଇନଫେକସନ୍ ଯୋଗୁଁ ଇଂଜେକସନ୍ ଓ ସାଲାଇନ୍ ଚାଲିଛି । ଫାର୍ମାଶିଷ୍ଟ ତାଙ୍କୁ ସାଲାଇନ୍ ଲଗାଉଛନ୍ତି । ସେ କିନ୍ତୁ ବିଶ୍ରାମ ନେବା ବଦଳରେ ସେବା କରି ଆସୁଛନ୍ତି ।  ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରେସିକ୍ରିପସନ୍ ଲେଖୁଛନ୍ତି  । ପଚାରିଲେ କୁହନ୍ତି, ଲକ୍ଷଲକ୍ଷ ଲୋକଙ୍କ ଭରସାର କେନ୍ଦ୍ର ଏହି ଡାକ୍ତରଖାନା । ପାଖରେ ଆଉ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ କି ଏ ଡାକ୍ତରଖାନାରେ ଆଉ ଡାକ୍ତର ନାହାନ୍ତି ।

ଅସୁସ୍ଥତା ଯୋଗୁଁ ଯଦି ସେ ଛୁଟି ନେବେ କି ବିଶ୍ରାମ ନେବେ ତେବେ ରୋଗୀ ହଇରାଣ ହେବେ । ତେଣୁ ନିଜ ଚିକିତ୍ସା ନିଜେ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସେବା ଯୋଗାଉଛନ୍ତି । ଡାକ୍ତର ବ୍ରଜରାଜ କରଙ୍କ ସେବା ମନବୃତିକୁ ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି । ଏଥିପାଇଁ ତ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ ।