କନକ ବ୍ୟୁରୋ : ମହାଶିବରାତ୍ରୀ ସହ ଶେଷ ହୋଇଛି ପ୍ରୟାଗରାଜ ମହାକୁମ୍ଭ । ଗଙ୍ଗା ନଦୀ କୂଳରେ ୪୫ ଦିନ ଧରି ଚାଲିଥିଲା ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ମେଳା । ଯେଉଥିରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ। ୧୪୪ ବର୍ଷ ପରେ ଏଭଳି ଐତିହାସିକ ମୁହୂର୍ତ୍ତ ଆସିଥିବାରୁ ଏହାର ସାକ୍ଷୀ ବନିଛନ୍ତି ସାଧୁସନ୍ଥଙ୍କଠାରୁ ନେଇ ସାଧାରଣ ଲୋକ। ଶେଷ ଦିନରେ ମଧ୍ୟ ସଙ୍ଗମ ସ୍ଥଳରେ ଦେଖିବାକୁ ମିଳିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଏହାକୁ ଦୃଷ୍ଟିରେ ରଖି ସମଗ୍ର କୁମ୍ଭମେଳା ଅଞ୍ଚଳକୁ ‘ନୋ ଭେଇକିଲ ଜୋନ୍’ରେ ପରିଣତ କରାଯାଇଥିଲା। ଭିଆଇପି ସୁବିଧା ମଧ୍ୟ ବନ୍ଦ ରହିଥିଲା । ସୁରକ୍ଷା ଦାୟିତ୍ବରେ ଥିଲେ ୩୭ ହଜାର ପୋଲିସ । ସିସିଟିଭି କ୍ୟାମେରା ସହ ୱାଚ ଟାୱାରରୁ ନଜର ରଖାଯାଉଥିଲା । ଶ୍ରଦ୍ଧାଳୁଙ୍କ ପାଇଁ ଏକ ଏୟାର ସୋ’ର ଆୟୋଜନ କରିଥିଲା ଭାରତୀୟ ବାୟୁସେନା । ଆକାଶରେ କୌଶଳ ଦେଖାଇଥିଲେ ଯୁଦ୍ଧ ବିମାନ । ହେଲିକପ୍ଟରରୁ ଶ୍ରଦ୍ଧାଳୁଙ୍କ ଉପରକୁ ହୋଇଥିଲା ଫୁଲ ବର୍ଷା । ଏଭଳି ଭବ୍ୟ ଆୟୋଜନ ପାଇଁ ପ୍ରଶାସନ ସହ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଛନ୍ତି ବୁଡ଼ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁ । 

 ମହାକୁମ୍ଭ ଶେଷ ହେବା ପରେ ଆରମ୍ଭ ହୋଇଛି ସ୍ବଚ୍ଛତା ଅଭିଯାନ । ପ୍ରୟାଗରାଜ ଅରେଲ ଘାଟରେ ପୂଜାର୍ଚ୍ଚନା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କର୍ମୀଙ୍କ ସହ ମିଶି ନିଜେ ନଦୀ ଘାଟରେ ଝାଡୁ ମାରିଛନ୍ତି । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଗଙ୍ଗା ନଦୀରୁ ଆବର୍ଜନା ସଫା କରିଛନ୍ତି। ମେଳାର ସଫଳ ଆୟୋଜନ ପାଇଁ ପୁଲିସ କର୍ମୀଙ୍କ ସହ ସ୍ବାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ ଏବଂ ନାବିକଙ୍କୁ ସମ୍ମାନୀତ କରାଯାଇଛି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ମାନପତ୍ର ଦିଆଯାଇଛି ।  ଏଥିସହ ସଫେଇ କର୍ମଚାରୀଙ୍କ ସହ ବସି ଭୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେପଟେ ରେଳ କର୍ମଚାରୀଙ୍କୁ ଭେଟିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସଫଳ ଆୟୋଜନ ପାଇଁ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମହାକୁମ୍ଭ ପାଇଁ ୧୬ ହଜାର ଟ୍ରେନ ଗଡ଼ିଛି । ପ୍ରାୟ ୫ କୋଟିରୁ ଅଧିକ ଲୋକ ଟ୍ରେନ ଯୋଗେ ପ୍ରାୟାଗରାଜରେ ପହଞ୍ଚିଛନ୍ତି । ରେଳ ବିଭାଗର ଯେଉଁ ବ୍ୟବସ୍ଥା ମାନୁଆଲ ରହିଛି ସେସବୁକୁ ସ୍ବୟଂଚାଳିତ କରିବାକୁ ପ୍ରୟାସ ଚାଲିଥିବା କହିଛନ୍ତି ରେଳମନ୍ତ୍ରୀ । ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିଲା ମହାକୁମ୍ଭ । ମେଳାରେ ୩ଟି ଅମୃତ ସ୍ନାନ ସମେତ ୬ଟି ସ୍ୱତନ୍ତ୍ର ସ୍ନାନ ଦେଖିବାକୁ ମିଳିଥିଲା । ମହାଶିବରାତ୍ରୀରେ ମହାସ୍ନାନ ଶେଷ ହୋଇଥିଲେ ବି ଏବେ ମଧ୍ୟ ଅନେକ ଶ୍ରଦ୍ଧାଳୁ ନଦୀରେ ବୁଡ଼ ପକାଇବାକୁ ଆସୁଥିବା ଦେଖିବାକୁ ମିଳିଛି । 

Advertisment