କନକ ବ୍ୟୁରୋ: ରାଜରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଚକାବନ୍ଦ ଆନ୍ଦୋଳନ। ସୁବର୍ଣ୍ଣପୁର ଜିଲ୍ଲା ସାରସମାଲ ଧାନ ମଣ୍ଡିରୁ ଧାନ ଉଠାଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି କିନ୍ତୁ ମିଲରଙ୍କ ଦେଖା ନାହିଁ । ଚାଷୀ କିଛି ଉପାୟ ନପାଇ ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଇଛନ୍ତି ।
ସେପଟେ ବରଗଡରେ ମଣ୍ଡିରେ କଟନୀଛଟନୀ ଓ ଟୋକନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଚାଷୀ । ସେହିପରି କଳାହାଣ୍ଡିରେ କଟନୀ ଛଟନୀ ଓ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଭବାନୀପାଟଣା ନିର୍ବାଚନ ମଣ୍ଡଳିରେ ଶନିବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ବିଧାୟକ ।
- ଗଜା ଧାନ ଧରି କ୍ଷତିପୂରଣ ଦାବି
- ତହସିଲ ଅଫିସ ଘେରିଲେ ଚାଷୀ
ଅଦିନିଆ ବର୍ଷାରେ କ୍ଷେତରେ ଗଜା ହୋଇଗଲା ଧାନ । ଆଉ ସେହି ଗଜା ଧାନକୁ ଧରି କ୍ଷତିପୂରଣ ଦାବିରେ ତହସିଲ ଅଫିସ ଘେରାଉ କରିଛନ୍ତି ଖୋର୍ଦ୍ଧା ଅଞ୍ଚଳର ଚାଷୀ। ଏହାସହ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଓ ଶେରଗଡ଼ ଠାରେ ଶହ ଶହ ଚାଷୀ ହାତରେ ଗଜା ଧାନ କେଣ୍ଡା ଧରି ପ୍ରତିବାଦ କରିଛନ୍ତି । ତହସିଲଦାରଙ୍କୁ ସ୍ମାରକ ପତ୍ର ଦେଇଛନ୍ତି।
ଏହାଛଡା ଆସିକା, ଅସ୍ତରଙ୍ଗ, କାମାକ୍ଷନଗର, ଆଠଗଡ଼, ନିଆଳି, ପାଟକୁରା, କଣ୍ଟାପଡା, ଯାଜପୁର (ସମେତ ବିଭିନ୍ନ ଅଞ୍ଚଳରୁ ଆସିଛି ଫସଲ କ୍ଷୟକ୍ଷତିର ଖବର । କ୍ଷେତକୁ ଦେଖି ଚାଷୀ କାନ୍ଦୁଛି । ଏବେ ଅଦିନିଆ ଲଗାଣ ବର୍ଷା ଛାଡି ଯାଇଛି, ହେଲେ ଚାଷୀ ଆଖିରେ ବର୍ଷା ଆଣିଥିବା ଲୁହ କେବେ ଶୁଖିବ ତାହା କିଏ କହିବ ।